୨୨ବର୍ଷ ଧରି ମାତୃଶକ୍ତିଙ୍କୁ ଠକିଛି ବିଜେଡି : ବିଜେପି
ପଦ୍ମପୁର : ୨୨ବର୍ଷ ଧରି ରାଜ୍ୟବାସୀଙ୍କୁ ମିଛ କହି ଆସିଥିବା ବିଜୁ ଜନତା ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣି ଏକ ମିଥ୍ୟା କହି ଆସିଛନ୍ତି । ବିଜୁ ଜନତା ଦଳର ୨ଜଣ ସାଂସଦ ଆଜି ଯାହା କହିଛନ୍ତି ତାହା କେବଳ ରାଜ୍ୟର ମାତୃଶକ୍ତିମାନଙ୍କୁ ଭୂଆଁ ବୁଲାଇବା ପାଇଁ କହିଛନ୍ତି । କେନ୍ଦ୍ର ଯୋଜନାକୁ ନିଜ ନାଁରେ ଘୋଷଣା କରି ସବୁ ବେଳେ ବାଃ ବାଃ ନେଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨ଦିନ ତଳେ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିନା ସୁଧରେ ଋଣ ରାଶିର ସୀମାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଲେ ବୋଲି ଗତକାଲି ଘୋଷଣା କରିଥିଲେ । ଉପନିର୍ବାଚନ ଆସିଲେ ୨୩ବର୍ଷର ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀଙ୍କ ସର୍ବଦା ଚାଷୀ ଓ ମହିଳାମାନଙ୍କର କଥା ମନେ ପଡେ । ଉପନିର୍ବାଚନ ପାରହେବା ଲାଗି ବିଜୁ ଜନତା ଦଳ ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି । ବାସ୍ତବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଜନା ଦେଶରେ ଚଳିତ ବର୍ଷ ଗତ ଏପ୍ରିଲ ଠାରୁ ଆରମ୍ଭ ହୋଇସାରିଛି । ଦେଶର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ରାଶିର ସୀମାକୁ ୩ଲକ୍ଷ ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ କିଛି ନୂଆ କଥା କହିନାହାନ୍ତି କି ନୂଆ ବ୍ୟବସ୍ଥା କରିନାହାନ୍ତି । ଏହି ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ପାର୍ଲିଆମେଂଟରେ ଗତ ୨୯ ମାର୍ଚ୍ଚ, ୨୦୨୨ତାରିଖରେ ତଥ୍ୟ ରଖିଥିଲେ ବୋଲି କହିଛନ୍ତି ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ।କେନ୍ଦ୍ର ସରକାର ସାରା ଦେଶରେ ଯେତେ ଏସଏଚଜି ଅଛନ୍ତି ସେମାନଙ୍କୁ ମିଳୁଥବା ରୁଣ ଉପରେ ୭% ସୁଧକୁ ବହନ କରିଥାଆନ୍ତି । ବାକି ଯେଉଁ ୪% ରହିଲା ତାକୁ କେବଳ ରାଜ୍ୟ ସରକାର ବହନ କରିଥାଆନ୍ତି । ଯେଉଁ ଏସଏଚଜି ମାନେ ଭଲ ପ୍ରଦର୍ଶନ କରିଥାଆନ୍ତି, ସୁଧ ଠିକ ସମୟରେ ପୈଠ କରିଥାଆନ୍ତି ସେମାନଙ୍କୁ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନା – ନ୍ୟାସନାଲ ରୁରାଲ ଲାଇଭ ହୁଡ ମିଶନ ଯୋଜନାରେ ଆଉ ୩% ସୁଧ ଛାଡ କରାଯାଏ । ଏହି ଅର୍ଥ ସମ୍ପୃର୍ଣ୍ଣ ଭାବରେ କେନ୍ଦ୍ର ସରକାର ଦେଇଥାଆନ୍ତି । ଓଡ଼ିଶାର ମା, ଭଉଣୀମାନେ ଏ ମିଥ୍ୟାବାଦୀ ବିଜୁ ଜନତା ଦଳର କଥାରେ ନଭାସିବାକୁ ଶ୍ରୀମତୀ ପରିଡା ନିବେଦନ କରିଛନ୍ତି ।