ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା: ୬୦୦ରୁ ଅଧିକ ମୃତ, ୧.୩ ନିୟୁତ ବାସହରା
ଲାଗୋସ୍: ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା। ଏଥିଯୋଗୁଁ ୬୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧.୩ ନିୟୁତ ଜନତା ବାସହରା ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ।
ଟୁଇଟର୍ରେ ପୋଷ୍ଟ୍ କରାଯାଇଥିବା ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ବିବୃତିରେ ଉଲ୍ଲେଖ ଅଛି ଯେ, ବନ୍ୟା ଯୋଗୁଁ ୧.୩ ନିୟୁତରୁ ଅଧିକ ଜନତା ଘରଦ୍ବାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେହିପରି ଦୁଃଖର ବିଷୟ ଯେ, ଆଜିକୁ ମିଶାଇ ୬୦୩ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ କହିବା ଅନୁସାରେ, ଅନେକ ଥର ସତର୍କ ସୂଚନା ଜାରି କରାଯିବା ସତ୍ତ୍ବେ ଅଧିକାଂଶ ପ୍ରଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହେବାରୁ ଦେଶରେ ବନ୍ୟା ପରିସ୍ଥିତି ବେକାବୁ ହୋଇଗଲା। ଅଧିକ ବିପଦ ଥିବା ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଓ ମାନବୀୟ ବ୍ୟାପାର ମନ୍ତ୍ରୀ ସାଦିୟା ଉମର୍ ଫାରୋକ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ବର୍ଷାଋତୁରେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ସାମାନ୍ୟ ବନ୍ୟା ଆସୁଥିବା ବେଳେ ଏଥର ଆସିଥିବା ପ୍ରଳୟଙ୍କରୀ ବନ୍ୟା ୨୦୦,୦୦୦ରୁ ଅଧିକ ଘର ଓ ବ୍ୟାପକ ଚାଷଜମି ନଷ୍ଟ କରିଛି। ନାଇଜେରିଆର ୩୬ଟି ପ୍ରଦେଶରୁ ୨୭ଟି ପ୍ରଦେଶ ବନ୍ୟାଦ୍ବାରା ପ୍ରଭାବିତ ହୋଇଛନ୍ତି। ଚଳିତ ବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ବନ୍ୟା ଲାଗି ରହିବ ବୋଲି ‘ବିବିସି’ ରିପୋର୍ଟ କରିଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରବଳ ବର୍ଷା ଯୋଗୁଁ ଏଭଳି ଭୟଙ୍କର ବନ୍ୟା ଆସିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।