ଆସାମରେ ବନ୍ୟାର ତାଣ୍ଡବ : ୨୪ ଜିଲାର ୨ ଲକ୍ଷ ଲୋକ ପ୍ରଭାବିତ
ଆସାମ: ଆସାମରେ ବନ୍ୟା ବିକାରଳ ରୂପ ଧାରଣ କରିଛି । ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୪ ଜିଲାର ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ଡିବ୍ରୁଗଢ଼, ଚରାଇଦେବ, କଛାର, ଧେମାଜୀ, ଦରାଙ୍ଗ ଓ ଦୀମା ହସାଔ ଅଧିକ ପ୍ରଭାବିତ ହୋଇଛି । ଏତଦବ୍ୟତୀତ ପାଣିପାଗ ବିଭାଗ କେରଳରେ ମଧ୍ୟ ଭୀଷଣ ବର୍ଷା ହେବା ନେଇ ହାଇଆଲର୍ଟ ଜାରି କରିଛନ୍ତି । ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟୀ କହିଛି ଯେ, ବର୍ଷା ପରେ ଭୂସ୍ଖଳନ ଯୋଗୁ ମଧ୍ୟ ଅନେକ କ୍ଷତି ହୋଇଛି । ପାହାଡୀ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ହାଫଲୋଙ୍ଗ ଆଡ଼କୁ ଯାଉଥିବା ସଡ଼କ ଓ ରେଲୱେ ମଧ୍ୟ ମେ’ ୧୫ରୁ ବନ୍ଦ ରହିଥିବା ଜଣାପଡ଼ିଛି ।
ସେହିପରି ବନ୍ୟା ଓ ମାଟିଅତଡ଼ା ଖସିବା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ ଜଣ ଲୋକ ନିଖୋଜ ଅଛନ୍ତି। ବନ୍ୟା ଓ ମାଟି ଅତଡ଼ା ଖସିବା ଯୋଗୁଁ ରାଜ୍ୟର ୬ ହଜାରରୁ ଊର୍ଦ୍ଧ୍ବ ଘର ଭାଙ୍ଗିଯାଇଛି। ୩୩ ହଜାର ଲୋକ ରିଲିଫ୍ ଶିବିର ଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଚାଉଳ, ଲୁଣ, ଡାଲି, ପିଇବା ପାଣି, ସୋରିଷ ତେଲ ଓ ଶିଶୁ ଖାଦ୍ୟ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବଣ୍ଟା ଯାଉଛି। ଗୌହାଟୀ ନଗରର କେତେକ ଅଞ୍ଚଳରେ ବନ୍ୟାପାଣି ପସିଥିବାର ଖବର ମିଳିଛି।