ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ, ୩୦ ଯାତ୍ରୀ ଉଦ୍ଧାର
ବ୍ରହ୍ମଗିରି : ଚିଲିକା ମଧ୍ୟରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡା ଯାତ୍ରା ଆରମ୍ଭ କରିଥିବା ଏହି ଭସାପୋଲଟି ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟ ଛାଡ଼ିଥିଲା । ଫସି ରହିଥିବା ଭସାପୋଲରେ ୧୫ଟି ମୋଟର ସାଇକେଲ, ୫ଟି ଚାରିଚକିଆ ଯାନ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ରହିଥିବା ଦେଖିବାକୁ ମିଳିଛି । ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏହି ଯାତ୍ରୀବାହୀ ଭସାପୋଲ ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟରୁ ବାହାରିଥିଲା । ତେବେ ୫୦୦ ମିଟର ଯିବାପରେ ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିବା ଜଣାପଡ଼ିଛି । ଏହି ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସି ରହିଥିବା ଅନ୍ୟ ଯାତ୍ରୀମାନେ ସ୍ଥଳଭାଗକୁ ଆସିବା ପାଇଁ ବ୍ୟାକୁଳ ହୋଇଯାଇଛନ୍ତି । ତେବେ ସଂଜ ନଇଁବାରୁ ଉଦ୍ଧାର କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।
ସୂଚନା ଯେ, ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଜହ୍ନିକୁଦା ଘାଟରୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଏକ ଭସାପୋଲ ସାତପଡ଼ା ଅଭିମୁଖେ ବାହାରିଥିଲା । ଏହି ଭସାପୋଲରେ ୪ଟି ଚକିଆ ଗାଡ଼ି ଓ ୨୦ଟି ବାଇକ ମଧ୍ୟ ଥିଲା । ତେବେ ଭସାପୋଲଟି ସାତପଡ଼ା ଘାଟ ଠାରୁ ୭୦୦ ମିଟର ଆସିବା ପରେ ମଝି ଚିଲିକାରେ ଚ୍ୟାନେଲ ବାହାରକୁ ଖସିଯାଇଥିଲା । ଏହି ସମୟରେ ଭସାପପୋଲଟି ଚ୍ୟାନେଲ ବାହାରକୁ ଯାଇ ଅଟକିଯାଇଛି । ଭସାପୋଲଟି ଫସିବା ନେଇ ସୂଚନା ମିଳିବା ପରେ ଅନ୍ୟ ମତ୍ସ୍ୟଜୀବୀମାନେ ଦେଶୀ ଡଙ୍ଗା ସହାୟତରେ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇସାରିଛି । ଅନ୍ୟ ୨୦ ଜଣ ଯାତ୍ରୀ ଖୁବ ଶୀଘ୍ର ଉଦ୍ଧାର ହେବେ ବୋଲି ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ) ପକ୍ଷରୁ କୁହାଯାଇଛି । ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସାତପଡ଼ାରୁ ଆଉଏକ ଭସାପୋଲ, ଜେସିବି, ଏସ୍କାଭେଟର ଯିବା ପରେ ଭସାପୋଲକୁ ଉଦ୍ଧାର କରାଯିବ । ଅନ୍ୟପଟରେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି ହେଉଛି । ସୂଚନାଯୋଗ୍ୟ ଚିଲିକାରେ ଭସାପୋଲ ଫସିବା ନୂଆ କଥା ନୁହେଁ । ପ୍ରାୟ ପ୍ରତିମାସରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି ।