ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିଲା ବିମାନ
ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ । ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସିରେ ଏହାର ଶୁଭାରମ୍ଭ କରିଛନ୍ତି । ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ । ଏଥିସହ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ ।
ଏହି ବିମାନ ଭୁବନେଶ୍ୱର ବିମାନବନ୍ଦର ଛାଡ଼ିଲାପରେ ରାଉରକେଲାରେ ୫୫ ମିନିଟ ପରେ ଅର୍ଥାତ୍ ୧୧ଟା ୪୦ ମିନିଟ୍ରେ ପହଂଚିବ । ଏହାପରେ ୧୨ ଟା ୫ ମିନିଟରେ ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟାରେ ପହଂଚିବ । ତେବେ ଆସନ୍ତା ୧୨ ତାରିଖରୁ ଦୈନିକ ଉଡ଼ାଣ ଜାରି ରହିବ ବୋଲି ସୂଚନା ମିଳିଛି । ପ୍ରତିଦିନ ବିମାନ ଭୁବନେଶ୍ୱରରୁ ଅପରାହ୍ଣ ୨ ଟା ୫୫ ମିନିଟ୍ରେ ଛାଡ଼ିବ ଏବଂ ରାଉରକେଲା ବିମାନବନ୍ଦରରେ ଅପରାହ୍ଣ ୩ ଟା ୫୦ ମିନିଟରେ ପହଂଚିବ । ରାଉରକେଲାରୁ ଅପରାହ୍ଣ ୪ ଟା ୧୫ ମିନିଟ୍ରେ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୫ ଟା ୧୦ ମିନିଟରେ ପହଂଚିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରୁ ରାଉରକେଲା ପର୍ଯ୍ୟନ୍ତ ବିମାନରେ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ ମୂଲ୍ୟ ୨୭୨୧ ଟଙ୍କା ରହିଥିବା ସୂଚନା ମିଳିଛି । ଟର୍ମିନାଲ ସେଂଟର, ରନ୍ୱେ, ଏୟାର ସିଗ୍ନାଲ ଆଦିର ନବୀକରଣ ସରିଯାଇଛି ।ବିମାନରେ ୭୨ସିଟ୍ ରହିଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ଏହି ବିମାନସେବା ଆରମ୍ଭ ହେବା ପରେ ବହୁଦିନର ଆଶା ପୂରଣ ହୋଇଛି ବୋଲି ମତ ପ୍ରକାଶ ପାଇଛି ।