ଫିଟ୍ନେସ୍ର ଅନ୍ତିମ ପର୍ଯ୍ୟାୟରେ ଆୟର : ଖେଲିବେ ଆଇପିଏଲ୍-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ !
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ । ଅବଶିଷ୍ଟ ମୁକାବିଲା ସେପ୍ଟେମ୍ବର ୧୮ରୁ ଖେଳାଯିବ । ଆଇପିଏଲ ଫାଇନାଲର ଦୁଇ ଦିନ ପରେ ୟୁଏଇରେ ଟି-୨୦ ବିଶ୍ବ କପ୍ ଆରମ୍ଭ ହେବ । ଏହା ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟସମ୍ୟାନ ଶ୍ରେୟସ ଆୟର ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆୟର ୨୦୨୧ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆହତ ହେବାରୁ ପୂରା ଟୁର୍ଣ୍ଣାମେଂଟରୁ ବାଦ୍ ପଡିଥିଲେ । ପୁଣି କରୋନା ସଂକ୍ରମଣ କାରଣରୁ ଲିଗ୍କୁ ଅଧାରେ ସ୍ଥଗିତ ରଖିବାକୁ ପଡିଥିଲା । ଏବେ ଆୟର ନିଜ ଫିଟନେସକୁ ନେଇ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆହତଜନିତ ସମସ୍ୟାରୁ ମୁକୁଳିବାର ସେ ଶେଷ ପର୍ଯ୍ୟାୟରେ ଅଛନ୍ତି । ଆଉ ମାସେ ଭିତରେ ସେ ସଂପୂର୍ଣ୍ଣ ଫିଟ୍ ହୋଇଯିବେ । ହେଲେ ୨୬ ବର୍ଷୀୟ ବ୍ୟାଟସମ୍ୟାନ ନିଜର ଅଧିନାୟକତ୍ୱ ବିଷୟରେ କିଛି ସ୍ପଷ୍ଟ କରି ନାହାନ୍ତି । ସେ ଏହାର ନିଷ୍ପତି ଫ୍ରାଂଚାଇଜଙ୍କ ହାତରେ ଛାଡିଛନ୍ତି । ଆୟର କହିଛନ୍ତି, ମୋ କାନ୍ଧର ଚିକିତ୍ସା ପୂରା ହୋଇ ସାରିଛି । ସଂପୂର୍ଣ୍ଣ ଫିଟନେସ୍ ହାସଲ କରିବାର ସେ ଅନ୍ତିମ ଷ୍ଟେଜରେ ଅଛନ୍ତି । ନିଜକୁ ସେ ଫିଟ୍ ଅନୁଭବ କରୁଛନ୍ତି ଏବଂ ନିଜର ଅଭ୍ୟାସ୍ ଠିକ୍ ଭାବେଚାଲିଥିବା ଶ୍ରେୟସ କହିଛନ୍ତି । ଶ୍ରେୟସ କହିଛନ୍ତି, ଲାଗୁଛି ଆଇପିଏଲ ପାଇଁ ମୁଁ ଉପଲବ୍ଧ ହୋଇ ପାରିବି । କିନ୍ତୁ ଆୟର ଅଧିନାୟକ ବିଷୟରେ କିଛି ସ୍ପଷ୍ଟ କହି ନାହାନ୍ତି । କେବଳ ଏତିକି କହିଛନ୍ତି ଯେ, ଏହାର ନିଷ୍ପତି ଫ୍ରାଂଚାଇଜଙ୍କ ହାତରେ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦଳ ପାଇଁ ଟ୍ରଫି ଜିତିବା । ଦଳ ଚଳିତ ସଂସ୍କରଣରେ ଦମଦାର ପ୍ରଦର୍ଶନ କରି ପଏଂଟ ତାଲିକାର ଶୀର୍ଷରେ ରହିଛି । ତେଣୁ ଦଳକୁ ଚମ୍ପିଆନ କରାଇବା ହିଁ ମୋର ମୂଳ ଲକ୍ଷ୍ୟ ରହିବ । ଅଧିନାୟକ ପଦ ମୋ ପାଇଁ ଗୁରୁତ୍ୱ ବହନ କରୁ ନାହିଁ ବୋଲି ଆୟର କହିଛନ୍ତି । ଆୟର ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ବର୍ଷ ପ୍ରାରମ୍ଭରେ ଖେଳାଯାଇଥିବା ଦିନିକିଆ ସିରିଜରେ ଆହତ ହୋଇଥିଲେ । ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲେ । ସ୍କାନିଂ ପରେ କାନ୍ଧର ଅସ୍ତ୍ରୋପ୍ରଚାର କରାଯାଇଥିଲା । ଫଳରେ ତାଙ୍କୁ ପ୍ରାୟ ତିନି ମାସ କ୍ରିକେଟରୁ ଦୂରେଇ ରହିବାକୁ ପଡିଥିଲା । ଏବେ ସେ ନିଜ ଫିଟନେସ୍ ଉପରେ ପରିଶ୍ରମ କରୁଛନ୍ତି ଏବଂ ମଇଦାନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି ।