ପ୍ରଥମ ଟି-୨୦ : ଇଂଲଣ୍ଡକୁ ୧୯୯ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
ପ୍ସାଉଥମ୍ପଟନ : ସାଉଥମ୍ପଟନର ରୋଜ ବାଉଲ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଗୁରୁବାର ପ୍ରଥମ ଟି-୨୦ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ଭାରତ ୧୯୮ ରନ କରିଛି। ଦଳ ପକ୍ଷରୁ ହାର୍ଦ୍ଦିକ ପଣ୍ଡ୍ୟା ସର୍ବାଧିକ ୫୩ ରନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ୩୯ ଏବଂ ଦୀପକ ହୁଡ୍ଡା ୩୩ ରନର ଦ୍ରୁତ ଇନିଂସ ଖେଳିଛନ୍ତି। ଇଂଲଣ୍ଡ ସମ୍ମୁଖରେ ୧୯୯ ରନର ବିଜୟ ଲକ୍ଷ୍ୟ ରହିଛି। ଶେଷ ୩ ଓଭରରେ ରନ ଧିମେଇ ଯିବାରୁ ଭାରତ ୨୦୦ରୁ ଅଧିକ ରନ କରି ପାରିନଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ମାପଚୁପ ବୋଲିଂ କରି ମାତ୍ର ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ୨୯ ରନ ଯୋଡିଥିଲେ। କୋଭିଡରୁ ସୁସ୍ଥ ହୋଇ ଦଳକୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ଭଲ ବ୍ୟାଟିଂ କରିଥିଲେ ହେଁ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୧୪ ବଲରୁ ୫ ଚୌକା ସହ ୨୪ ରନ କରିଥିଲେ। ଇଶାନ କିଷନ(୮) ନିରାଶ କରିଥିଲେ। ଫର୍ମରେ ଥିବା ଦୀପକ ହୁଡ୍ଡା ଦ୍ରୁତ ବ୍ୟାଟିଂ କରି ୧୭ ବଲରୁ ୩ ଚୌକା ଏବଂ ୨ ଛକା ସହ ୩୩ ରନ କରି ଆଉଟ୍ ହୋଇଥିଲେ। ସେ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ଓ୍ଵିକେଟ୍ରେ ୪୩ ରନ ଯୋଡିଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରିଥିଲେ ହେଁ ଇନିଂସକୁ ଅଧିକ ସମୟ ବଢାଇ ପାରିନଥିଲେ। ସେ ବିସ୍ପୋରକ ବ୍ୟାଟିଂ କରି ୧୯ ବଲରୁ ୪ ଚୌକା ଏବଂ ୨ ଛକା ସହ ୩୯ ରନ କରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସକୁ ଆଗେଇ ନେଇଥିଲେ। ଅକ୍ଷର ପଟେଲଙ୍କ ସହ ପଞ୍ଚମ ଓ୍ଵିକେଟରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଅକ୍ଷର ୧୭ ରନରେ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ଦ୍ରୁତ ବ୍ୟାଟିଂ ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୩୩ ବଲରୁ ୬ ଚୌକା ଏବଂ ଏକ ଛକା ସହ ୫୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହେଲେ ଭାରତ ଶେଷ ୩ ଓଭରରେ ଦ୍ରୁତ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲା। ଦିନେଶ କାର୍ତ୍ତିକ ୧୧ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୮ ରନ କରିଛି। ଇଂଲଣ୍ଡ କ୍ରିସ୍ ଜୋର୍ଡାନ ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ପକ୍ଷରୁ ମୋଇନ ଅଲ୍ଲୀ ଦୁଇ ଓଭରରେ ୨୬ ରନ ଦେଇ ୨ଟି ନେଇଛନ୍ତି।