ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ ୨୦୯ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ-ଭାରତ ଟି-୨୦ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯାଇଛି । ଟସ ହରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ସହ ଲୋକେଶ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଉପଯୋଗୀ ବ୍ୟାଟିଂ ବଳରେ ବିଶାଳ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରି ଅଷ୍ଟ୍ରେଲିଆ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।
ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ କରିଥିଲା । ଭାରତ ଆରମ୍ଭରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଓ୍ବିକେଟ ଶସ୍ତାରେ ହରାଇବା ପରେ ସଂକଟରେ ପଡ଼ିଥିଲା । କିନ୍ତୁ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ରାହୁଲ ୫୫ ରନ ଓ ସୂର୍ଯ୍ୟକୁମାର ୪୮ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ମାତ୍ର ୩୦ଟି ବଲରେ ୭୧ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜସ ହେଜଲଉଡ ୨ଟି ଓ ନାଥନ ଏଲିସ ୩ଟି ଓ୍ବିକେଟ ନେଇଥିଲେ । ସେହିପରି କ୍ୟାମେରନ ଗ୍ରୀନ ଗୋଟିଏ ଓ୍ବିକେଟ ନେଇଥିଲେ । ଏକ ସଂକ୍ଷିପ୍ତ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଦଳ ୩ଟି ଟି-୨୦ ମ୍ୟାଚ ଖେଳିବ । ୨ୟ ଟି-୨୦ଟି ଆସନ୍ତା ୨୩ ତାରିଖରେ ନାଗପୁରଠାରେ ଓ ୩ୟ ଟି-୨୦ ଆସନ୍ତା ୨୫ ତାରିଖରେ ହାଇଦ୍ରାବାଦଠାରେ ଖେଳାଯିବ । ଏହା ଏକ ସଂକ୍ଷିପ୍ତ ସିରିଜ ହୋଇଥିଲେ ବି ଆସନ୍ତା ଟି-୨୦ ବିଶ୍ବକପ ପୂର୍ବରୁ ଏହା ଉଭୟ ଦଳ ପାଇଁ ଭଲ ଅଭ୍ୟାସର ସୁଯୋଗ ପ୍ରଦାନ କରିବ ବୋଲି କୁହାଯାଉଛି ।