ପ୍ରଥମ ଟି-୨୦ : ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ
ମୋହାଲି : ମୋହାଲିରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଭାରତକୁ ୪ ୱିକେଟରେ ହରାଇଲା ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ସହାୟତାରେ ୬ ୱିକେଟ୍ ହରାଇ ୨୦୮ ରନର ବିଶାଳ ସ୍କୋର କରିଥିଲା । ହେଲେ କାମେରନ୍ ଗ୍ରୀନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ଶେଷ ଆଡକୁ ମାଥ୍ୟୁ ୱେଡଙ୍କ ଅପରାଜିତ ପାଳି ବଳରେ ଅଷ୍ଟ୍ରେଲିଆ ୪ଟି ବଲ ବାକିଥାଇ ମ୍ୟାଚ୍କୁ ୪ ଓ୍ଵିକେଟ୍ରେ ଜିତି ନେଇଛି। ଏହାଛଡ଼ା ଡେଥ୍ ଓଭରରେ ବୋଲରଙ୍କ ଦାୟିତ୍ବହୀନ ପ୍ରଦର୍ଶନ ମଧ୍ୟ ଭାରତକୁ ମହଙ୍ଗା ପଡ଼ିଥିଲା । ଏହି ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।
zର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମା(୧୧)ଙ୍କୁ ହରାଇଥିଲା। ଏହାପରେ ବିରାଟ କୋହଲି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ରୋହିତଙ୍କ ୱିକେଟ ଜୋଶ ହେଜେଲଉଡ ଓ ବିରାଙ୍କୁ ନାଥନ ଇଲିସ ପ୍ୟାଭିଲିୟନ ପଠାଇଥିଲେ। ତେବେ ତୃତୀୟ ୱିକେଟ ପାଇଁ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିଥିଲେ। ଏଥିସହ ଦୀର୍ଘ ମାସ ପରେ ରାହୁଲ ଟି-୨୦ରେ ନିଜର ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ। ୩୫ ରନରେ ୨ ୱିକେଟ ହରାଇଥିବା ଭାରତ ୧୦୩ରେ ୩ ୱିକେଟ ହରାଥିଲା। ବଡ଼ ଶଟ ଖେଳିବା ଲୋଭରେ କେଏଲ ରାହୁଲ ୫୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ। ଆଉ ୨୩ ରନ ପରେ ସୂର୍ଯ୍ୟ କୁମାର ଯାଦବ ୨୫ ବଲରେ ୪୬ ରନ କରି ଆଉଟ ହୋଇଯାଇଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଅଲଗା ମୁଡରେ ପଡ଼ିଆକୁ ଓହ୍ଲାଇଥିଲେ। ସେ ଦମଦାର ବ୍ୟାଟିଂ କରି କେବଳ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇ ନଥିଲେ, ବରଂ ମାତ୍ର ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅକ୍ଷର ପଟେଲ (୬) ଓ ଦୀନେଶ କାର୍ତ୍ତିକ(୬) କିଛି ସମୟ ସାଥ ଦେଇଥିଲେ। ଭାରତ ୱିକେଟ ହରାଉଥିଲେ ମଧ୍ୟ ପାଣ୍ଡ୍ୟାଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା।ସେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୧୮୭ ହୋଇଥିଲା। ଶେଷ ଓଭରରେ ପାଣ୍ଡ୍ୟା ଓ ହର୍ଷଲ ପଟେଲ ୨୧ ରନ କରିବାରୁ ଭାରତ ବିଶାଳ ୨୦୮ ରନ କରିବାକୁ ସକ୍ଷମ ହୋଇଛି। ଏହି ଓଭରର ଶେଷ ୩ ବଲରେ ପାଣ୍ଡ୍ୟା ଦ୍ରୁତ ବୋଲର କାମେରନ ଗ୍ରୀନକୁ ଲଗାତର ୩ଟି ଛକା ମାରିଥିଲେ। ପାଣ୍ଡ୍ୟା ଶେଷ ୩୦ ବଲରେ ୭୧ ଓ ହର୍ଷଲ ପଟେଲ ୭ ରନ କରି ଅପରାଜିତ ରହିଛନ୍ତି ପାଣ୍ତ୍ୟା ତାଙ୍କ ଇନିଂସରେ ୭ଟି ଚୌକା ଓ ୫ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଇଲିସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ୨ଟି ଓ ଗ୍ରୀନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା।
୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ କରିଥିବା ଅଷ୍ଟ୍ରେଲିଆ ଆରମ୍ଭର ବିସ୍ଫୋରକ ବ୍ୟାଟିଂ କରିଥିଲା। ୩.୩ ଓଭରରେ ଦୁଇ ଓପନର ଫିଞ୍ଚ ଏବଂ ଗ୍ରୀନ ୩୯ ରନ ଯୋଡିଥିଲେ। ଏହା ପରେ ଗ୍ରୀନ ଏବଂ ଷ୍ଟିଭ୍ ସ୍ମିଥ୍ ଦଳର ଇନିଂସକୁ ଆଗେଇ ନେଇଥିଲେ। ବିଶେଷ କରି ଗ୍ରୀନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ରେ ୭୦ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ। ଅକ୍ଷର ପଟେଲ୍ ଗ୍ରୀନଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ। ଗ୍ରୀନ ମାତ୍ର ୩୦ ବଲ୍ରୁ ୮ ଚୌକା ଏବଂ ୪ ଛକା ସହ ୬୧ ରନ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ସଅଳ ଓ୍ଵିକେଟ୍ ହରାଇଥିଲା। ସ୍ମିଥ୍ ୩୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୧) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଜୋସ୍ ଇଙ୍ଗ୍ଲିସ ୧୭ ରନରେ ବିଦାୟ ନେଇଥିଲେ। ୧୪୫ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡିଥିବା ଅଷ୍ଟ୍ରେଲିଆକୁ ମାଥ୍ୟୁ ଓ୍ଵାଦେ ଏବଂ ଟିମ୍ ଡେଭିଡ୍ ବିଜୟ ଆଡକୁ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ହାତରୁ ବିଜୟ ଛଡାଇ ଆଣିଥିଲେ। ବିଶେଷ କରି ଓ୍ଵାଦେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୧ ବଲ୍ରୁ ୬ ଚୌକା ଏବଂ ୨ ଛକା ବଳରେ ୪୫ ରନର ଅପରାଜିତ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ପାଟ୍ କମିନ୍ସ ବିଜୟ ସୂଚକା ଚୌକା ମାରିଛନ୍ତି। ଦଳ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୧ ରନ କରି ୪ ଓ୍ଵିକେଟ୍ରେ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୫୨ ରନ ଦେଇ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ହର୍ଷଲ ପଟେଲ୍ ମଧ୍ୟ ୪୯ ରନ ବ୍ୟୟ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନରେ ୩ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶ ଯାଦବ ୨ ଓଭରରେ ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।