ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ : ଜାଣନ୍ତୁ କେମିତି ରହିବ ଭାରତର ଚୂଡ଼ାନ୍ତ ଏକାଦଶ

ହାଇଦ୍ରାବାଦ: ଆଜି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ । ଭାରତୀୟ କ୍ରିକେଟ୍ ଦଳକୁ ବର୍ତ୍ତମାନ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଅଛି । ଆଜି ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନିକିଆ ଜାନୁଆରୀ ୨୧ରେ ରାୟପୁରରେ ଓ ତୃତୀୟ ମ୍ୟାଚ୍ ଜାନୁଆରୀ ୨୪ରେ ଇନ୍ଦୌରରେ ଖେଳାଯିବ । ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ ।
ନିକଟ ଅତୀତରେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜରେ ଶ୍ରୀଲଙ୍କାକୁ ୩-୦ କ୍ଲିନସ୍ୱୀପ୍ କରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ଓପନର୍ ଇଶାନ୍ କିଶନଙ୍କୁ ସୁଯୋଗ ମିଳିନଥିଲା । ଟି-୨୦ର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା ।
କିନ୍ତୁ ବର୍ତ୍ତମାନ ପ୍ରାୟ ନିଶ୍ଚିତ ଯେ, ଇଶାନ କିଶନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସୁଯୋଗ ପାଇବେ । ଏହାର କାରଣ ହେଉଛି ଏହି ସିରିଜ୍ ପାଇଁ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ୱିକେଟ୍ କିପର ଭାବେ ଦଳରେ କେବଳ ଇଶାନ କିଶନ ଓ କେ.ଏସ୍ ଭରତଙ୍କୁ ସାମିଲ କରାଯାଇଛି । ଏଭଳି ପରିସ୍ଥିତିରେ ଇଶାନ କିଶନ ୱିକେଟ୍ କିପର ଭାବରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ନିଶ୍ଚିତ, କାରଣ ସେ ବିଗତ ଦିନରେ ବାଂଲାଦେଶ ବିପକ୍ଷ ଏକ ଦିନିକିଆ ମ୍ୟାଚରେ ଦ୍ୱିଶତକ ହାସଲ କରିଥିଲେ । କିନ୍ତୁ ଗୋଟିଏ ଅସୁବିଧାଜନକ ବିଷୟ ହୋଇପାରେ ଯେ ଇଶାନ କିଶନଙ୍କୁ କେଏଲ ରାହୁଲଙ୍କ ପରି ମଧ୍ୟମ କ୍ରମରେ ନମ୍ବର-୫ରେ ବ୍ୟାଟିଂ କରିବାକୁ ପଡିପାରେ ।
କାରଣ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲ ଓପନିଂ ପାଇଁ ଫିକ୍ସ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସ୍ପିନ୍ ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ମଧ୍ୟ ଦଳରେ ରଖାଯାଇ ନାହିଁ । ଏଭଳି ପରିସ୍ଥିତିରେ ସୁର୍ଯ୍ୟକୁମାର କିମ୍ବା ୱାଶିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ଅକ୍ସରଙ୍କ ସ୍ଥାନରେ ଏକ ସୁଯୋଗ ପାଇପାରନ୍ତି ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ।