ପ୍ରଥମ ଦିନିକିଆ : ଗିଲଙ୍କ ଦ୍ବିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ ଦେଲା ଭାରତ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ଦ୍ବିଶତକ ହାସଲ କରିଛନ୍ତି । ଗିଲ୍ ହ୍ୟାଟ୍ରିକ ଛକା ମାରି ଦ୍ବିଶତକ ପୂରଣ କରିଛନ୍ତି ।
ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ବିକେଟ୍ ହରାଇ ୩୪୯ ରନର ବିଶାଳ ସ୍କୋର୍ କରିଛି । ଓପନର୍ ଶୁଭମାନ ଗିଲ୍ ୧୪୫ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ। ସେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନଙ୍କ ଓଭରରେ ହ୍ୟାଟ୍ରିକ ଛକା ମାରି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । ଏହି ଯୁବ ବ୍ୟାଟ୍ସମ୍ୟାନ୍ ୧୪୯ ବଲରେ ୧୯ଟି ଚୌକା ଓ ୯ଟି ଚକା ସହ ୨୦୮ ରନ୍ କରିଥିଲେ । ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ଗିଲ୍ ହେଉଛନ୍ତି ଭାରତର ପଞ୍ଚମ ଓ ବିଶ୍ବର ଅଷ୍ଟମ ବ୍ୟାଟ୍ସମ୍ୟାନ୍। ଅନ୍ତର୍ଜାତୀୟ ଦିନିକିଆରେ ଗିଲଙ୍କ ଏହା ତୃତୀୟ ଶତକ ।
ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ଓ ଶୁଭମନ ଗିଲ ଭାରତ ପାଇଁ ଭଲ ଆରମ୍ଭ କରି ୬୦ ରନ ଯୋଡିଥିଲେ। ରୋହିତ ୩୮ ବଲ୍ରୁ ୪ ଚୌକା ଏବଂ ୨ ଛକା ବଳରେ ୩୪ ରନ କରି ବିଦାୟ ନେଇଥିଲେ। ବିରାଟ କୋହଲି(୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସାଣ୍ଟନର କୋହଲିଙ୍କୁ ବୋଲ୍ଡ କରି ଭାରତକୁ ବଡ ଝଟକା ଦେଇଥିଲେ। ନିଜର ପୂର୍ବ ମ୍ୟାଚ୍ରେ ଦ୍ଵିଶତକ ହାସଲ କରିଥିବା ଇଶାନ କିଶନ(୫) ପାଭିଲିୟନ ଫେରିଥିଲେ। ଏହା ପରେ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୬୫ ରନ ଯୋଡିଥିଲେ। ତେବେ ଦ୍ରୁତ ବ୍ୟାଟିଂ କରୁଥିବା ସୂର୍ଯ୍ୟ ୨୬ ବଲ୍ରୁ ୪ ଚୌକା ଜରିଆରେ ୩୧ ନର କରି ପାଭିଲିୟନ ଫେରିଥିଲେ। ତେବେ ଅନ୍ୟପଟେ ଗିଲ୍ ଏକାକୀ କ୍ରିଜରେ ଜମି ରହି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ୨୮ ରନ କରି ବିବାଦୀୟ ଆଉଟ୍ ହୋଇଥିଲେ।
ଗିଲ୍ ଦିନିକିଆ କ୍ରିକେଟ୍ରେ ତୃତୀୟ ଶତକ ହାସଲ ପରେ ସେ ଦ୍ରୁତ ବ୍ୟାଟିଂ କରିଥିଲେ। ୪୯ତମ ଓଭରରେ ସେ ଲୋକି ଫର୍ଗ୍ୟୁସନଙ୍କୁ ଲଗାତାର ୩ ଛକା ମାରି ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦ୍ଵିଶତକ ହାସଲ କରିଥିଲେ। ଗିଲ୍ ୧୪୫ ବଲ୍ରେ ୧୯ ଚୌକା ଏବଂ ୮ ଛକା ବଳରେ ଦ୍ଵିଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ଵାଗ, ରୋହିତ ଶର୍ମା ଏବଂ ଇଶାନ କିଷନ ଦିନିକିଆ ଅନ୍ତର୍ଜାତୀୟରେ ଦ୍ଵିଶତକ ହାସଲ କରିଥିଲେ। ତେବେ ୫୦ତମ ଓଭରରେ ଗିଲ୍ଙ୍କ ଦର୍ଶନୀୟ ଦ୍ଵିଶତକ ଇନିଂସର ଅନ୍ତ ଘଟିଥିଲା। ଗିଲ୍ ୧୪୯ ବଲ୍ରୁ ୧୯ ଚୌକା ଏବଂ ୯ ଛକା ବଳରେ ୨୦୮ ରନ କରି ଆଉଟ୍ ହୋଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୪୯ ରନ କରିଛି। ଏଥିସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ୍ ସର୍ବାଧିକ ରନ ହାସଲକାରୀ ଭାରତୀୟ ବ୍ୟାଟର ହୋଇଛନ୍ତି।