ପ୍ରଥମ ଦିନିକିଆ : ଭାରତର ଘାତକ ବୋଲିଂ, ଅଷ୍ଟ୍ରେଲିଆ ୧୮୮ରେ ଅଲଆଉଟ୍
ମୁମ୍ବାଇ : ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ବୋଲର। ଚମତ୍କାର ବୋଲିଂ କରି ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିରାଶଜନକ ପ୍ରଦର୍ଶନ କରି ୩୫.୪ ଓଭରରେ ୧୮୮ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୧୮୯ ରନର ସହଜ ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ମିଚେଲ୍ ମାର୍ଶ ସର୍ବାଧିକ ୮୧ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ଘାତକ ବୋଲିଂ କରି ମାତ୍ର ୧୭ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ମହମ୍ମଦ ସିରାଜ ୩ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଭାରତର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଠିକ ସାବ୍ୟସ୍ତ କରିଥିଲେ। ମ୍ୟାଚ୍ର ଦ୍ୱିତୀୟ ଓଭରର ଶେଷ ବଲରେ ସିରାଜ ୫ ରନ କରିଥିବା ଟ୍ରାଭିସ ହେଡ୍ଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ। ତେବେ ମାର୍ଶ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହି ସମୟରେ ମାର୍ଶଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବାରୁ ହିଜେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ଅଷ୍ଟ୍ରେଲିଆର ସ୍କୋର ୭୭ ଥିବା ବେଳେ ସେ ୨୨ ରନ କରିଥିବା ସ୍ମିଥଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ସ୍ମିଥ ଆଉଟ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ମାର୍ଶଙ୍କ ଉପରେ ପଡ଼ି ନଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବାରେ ଲାଗିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୯ ଥିବା ବେଳେ ରବୀନ୍ଦ୍ର ଜାଡେଜା ୮୧ ରନ କରିଥିବା ମାର୍ଶଙ୍କୁ ସିରାଜଙ୍କ ହାତରେ କ୍ୟାଚ କରାଇ କଙ୍ଗାରୁ ଟିମକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଅଷ୍ଟ୍ରେଲିଆର ଜଣଙ୍କ ପରେ ଜଣେ ବ୍ୟାଟର ଆଉଟ ହେବାରେ ଲାଗିଥିଲେ। ଜୋଶ ଇଙ୍ଗଲିଶ ୨୬ ରନ କରି କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା। ତାଙ୍କୁ ମହମ୍ମଦ ଶାମି କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ମାର୍ନସ ଲାବୁଶେନ(୧୫)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିବା ବେଳେ କାମେରନ ଗ୍ରୀନ(୧୫)ଙ୍କୁ ଶାମି, ଗ୍ଲେନ ମ୍ୟାକ୍ସୱେଲ(୮)ଙ୍କୁ ଜାଡେଜା ଓ ମାର୍କସ ଷ୍ଟୋଇନିସ(୫) ଶାମିଙ୍କ ଶିକାର ବନିଥିଲେ। ଶେଷ ଭାଗରେ ସିରାଜ ତାଙ୍କ କମାଲ ଦେଖାଇଥିଲେ। ସେ ପ୍ରଥମେ ସେନ ଆବ୍ବୋଟ୍ଟ(୦) ଓ ଆଡାମ ଜାମ୍ପା(୦)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସକୁ ୧୮୮ ରନରେ ଅଟକାଇ ଦେଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜା ୨ଟି, ହାର୍ଦ୍ଦିକ ଓ କୁଲଦୀପ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଶାମି ୬ ଓଭରରେ ମାତ୍ର ୧୭ ରନ ଓ ସିରାଜ ୫.୪ ଓଭରରେ ୨୯ ରନ ଖର୍ଚ୍ଚ କରିଛନ୍ତି।