ପ୍ରଥମ ଦିନିକିଆ : ଗାଇକ୍ୱାଡ୍-ଗିଲ୍ଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ମୋହାଲି : ମୋହାଲିର ପଂଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବାଜିମାତ୍ । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ । ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟ୍କୁ ୪୮.୪ ଓଭରରେ ହାସଲ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଭାରତ ।
ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ ଥିଲା। କିନ୍ତୁ କୌଣସି ଖେଳାଳି ବଡ଼ ପାଳି ଖେଳିବାକୁ ଅସମର୍ଥ ଥିଲେ। ଡେଭିଡ୍ ଓ୍ୱାର୍ଣ୍ଣର ସବୁଠୁ ଅଧିକ ୫୨ ରନ୍ କରିଥିଲେ। ଜୋସ୍ ଇଂଲିସ ୪୫ ରନ୍ ଓ ମାନର୍ସ ୩୯ ରନ୍ କରିଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ୧୦ ଓ୍ୱିକେଟ୍ ହରାଇ ୨୭୬ ରନ୍ ସ୍କୋର କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସମି ୫ ଓ୍ବିକେଟ ନେଇଥିଲେ ।
୨୭୭ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଏହି ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତର ଓପନିଂ ବ୍ୟାଟିଂ ବେଶ ଦମଦାର ଥିଲା। ଦୁଇ ଓପନର୍ ଋତୁରାଜ ଗାଇକ୍ୱାଡ ଓ ଶୁବମନ ଗିଲଙ୍କ ପାର୍ଟନରସିପ୍ ୧୪୨ ରନ୍ ଥିଲା। ଗିଲ୍ ୭୪ ରନ୍ରେ ଆଉଟ୍ ହୋଇଥିଲେ। ଗାଇକ୍ୱାଡ୍ ୭୧ ରନ୍ରେ ଆଉଟ୍ ହୋଇଥିଲେ। ପରେ କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟକୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣିଦେଇଥିଲେ ।