ପ୍ରଥମ ଦିନିକିଆ : ବ୍ୟାଟିଂ ପରେ ବୋଲିଂରେ କମାଲ, ୩ ରନ୍ରେ ୱେଷ୍ଟଇଣ୍ଡିଜକୁ ହରାଇଲା ଭାରତ
ପୋର୍ଟ ଅଫ୍ ସ୍ପେନ୍ : ୱେଷ୍ଟଇଣ୍ଡିଜ ଗସ୍ତରେ ରୋମାଞ୍ଚକ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ । ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶିଖର ଧାୱନଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ରନ୍ରେ ଜିତି ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶିଖର ଧାୱନ, ଶୁବମନ ଗିଲ୍, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ୍ କରିବା ପରେ ଘରୋଇ ଦଳକୁ ୩୦୫ ରନ୍ରେ ରୋକି ଦେଇଥିଲା। ଶେଷ ଓଭରରୁ ୧୫ ରନ୍ ଆବଶ୍ୟକ ଥିବାବେଳେ ମହମ୍ମଦ ସିରାଜ୍ ୧୧ ରନ୍ ଦେଇ ଦଳକୁ ବିଜୟମଣ୍ଡିତ କରିଥିଲେ। ସିରାଜ, ଶାର୍ଦୁଳ ଠାକୁର ଓ ୟୁଝବେନ୍ଦ୍ର ଚହଲ୍ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ମୋତି କହ୍ନାଇଙ୍କ ବୋଲିଂରେ ବ୍ୟାକୱାର୍ଡ ପଏଣ୍ଟରେ କ୍ୟାଚ୍ ନେଇଥିଲେ ସାମରା ବ୍ରୁକ୍ସ। ଶ୍ରେୟସ ଆୟରଙ୍କ ସହ ମିଶି ୯୪ ରନ୍ ଭାଗୀଦାରି ଗଢ଼ିସାରିଥିଲେ। ଆୟର (୫୪, ୫୭ ବଲ୍, ୫ ଚୌକା, ୨ ଛକା) ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ଆଗକୁ ବଢ଼ି ପାରିନଥିଲେ। ସେ ମୋତିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ୩୨ତମ ଓଭରରେ ୨୦୦ ରନ୍ ପୂର୍ଣ୍ଣ କରିଥିବା ଭାରତକୁ କିନ୍ତୁ ରୋକିବାରେ ଇଣ୍ଡିଜ୍ ବୋଲର ସକ୍ଷମ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ୍ ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ଦୀପକ ହୁଦା ଲୟରେ ନ ଥିବା ଭଳି ସଂଘର୍ଷ କରିବାରୁ ଭାରତ ଶେଷ ୧୦ ଓଭରରେ ଆଶା ମୁତାବକ ରନ୍ କରିପାରିନଥିଲା। ଏକଦା ୩୫୦ ସ୍କୋର୍ ସହଜ ଲାଗୁଥିଲେ ମଧ୍ୟ ୩୦୦ ରନ୍ ପାଇଁ ସଂଘର୍ଷ କରିଥିଲା ଭାରତ। ୪୮ତମ ଓଭରରୁ ଦୀପକ ହୁଦା ଓ ଅକ୍ଷର ପଟେଲ୍ ୨୦ ରନ୍ ଆଦାୟ କରିବାରୁ ଦଳ ୩୦୦ ଟପିପାରିଥିଲା। ଭାରତ ପାଳିର ଦ୍ବିତୀୟାର୍ଦ୍ଧରେ ୱେଷ୍ଟଇଣ୍ଡିଜ୍ ବୋଲର ଶୃଙ୍ଖଳିତ ଭାବେ ଲାଇନ୍ ଓ ଲେନ୍ଥରେ ବୋଲିଂ କରି ଭାରତକୁ ନିୟନ୍ତ୍ରଣରେ ରଖିଥିଲେ।