ଜଳକା ନଦୀରେ ପ୍ରଥମ ବନ୍ୟା; ପାଣି ଘେରରେ ବହୁ ପଞ୍ଚାୟତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଚଳିତବର୍ଷ ସଦର ଓ ବସ୍ତା ବ୍ଲକରେ ପ୍ରଥମ ଥର ପାଇଁ ବନ୍ୟା ଆସିଛି । ଜଳକା ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବାବେଳେ ଦିନ ୨ଟା ସୁଦ୍ଧା ବିପଦ ସଂକେତ ଅତିକ୍ରମ କରି ୬.୨୯ ମିଟର ରେ ପହଞ୍ଚିଥିଲା । ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୨୩ ମିଟରରେ ପ୍ରବାହିତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ଏକାଧିକ ପଞ୍ଚାୟତ ଏବେ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀକୁଳ ବାସୀ ଆତଙ୍କିତ ଅବସ୍ଥା ରେ ଅଛନ୍ତି । ଜଳକା ନଦୀର ରହିଥିବା ୩୮ କିଲୋମିଟର ନଦୀ ବନ୍ଧ ସମ୍ପୁର୍ଣ୍ଣ ଦୁର୍ବଳ ରହିଥିବାରୁ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କ ନିଦ ହଜି ଯାଇଛି ।
ସୁଚନା ଯେ, ଗତ ୬ ତାରିଖରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଦି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲାର ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ମଧ୍ୟ ବର୍ଷାଜଳ ଜମି ରହିଛି । ବର୍ତ୍ତମାନ ଧାନ ରୁଆ, ପୋତା କାମ ଚାଲିଥିବାରୁ ଚାଷ ଜମିରେ ଜମି ରହିଥିବା ବର୍ଷାଜଳ ନଦୀକୁ ନିସ୍କାସନ ହୋଇ ପାରୁନାହିଁ । ଯାହା ଫଳରେ କିଛିଦିନ ତଳେ ରୁଆ ଯାଇଥିବା ଧାନ ତଳି ପାଣିରେ ବୁଡ଼ି ରହିଛି । ଆଗକୁ ପୁଣି ଲଘୁଚାପ ଆଶଙ୍କା ରହିଥିବାରୁ ବର୍ଷା ହେଲେ ଏକ ବଡ଼ବନ୍ୟା ହେବାର ସମ୍ଭାବନା ମଧ୍ୟ ରହିଛି । ଯଦି ବନ୍ୟା ହୁଏ ତାହାହେଲେ ଏବେ ରୁଆ ଯାଇଥିବା ଧାନ ଓ ତଳି ପଚିବାର ଆଶଙ୍କା ରହିଛି । ଆଜି ଜଳକାରୁ ପାଣି ବାହାରିବା ହେତୁ ରାଉତପଡ଼ା, ଗଡ଼ପଦା, ବାହାର୍ଦ୍ଦା, ମଥାନୀ, ଦୁଧହଂସା, ବାସିଚକୁରାଇ ସମେତ ସଦର ବ୍ଲକର ରସଲପୁର ପଞ୍ଚାୟତ ଏବେ ପାଣି ଘେରରେ ରହିଛି । ଏହିସବୁ ଅଞ୍ଚଳର ଚାଷଜମି ସବୁ ବନ୍ୟା ପାଣିରେ ବୁଡ଼ି ରହିଛି । ଆଗକୁ ବନ୍ୟା ସମ୍ଭାବନା ଥିବାରୁ ଧାନତଳି ଏବଂ ରୁଆ ଧାନ ଆଉ ଅମଳକ୍ଷମ ହେବାର ସମ୍ଭାବନା ନାହିଁ ବୋଲି ଚାଷୀ ମାନେ ହତାଶ ହୋଇ ପଡିଛନ୍ତି । ତେବେ ତଳିଆ ଅଞ୍ଚଳରୁ ବାରମ୍ବାର ଜଳ ନିସ୍କାସନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ଲୋକପ୍ରତିନିଧି ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ନଦୀବନ୍ଧ ଦୁର୍ବଳ ରହିଥିବାରୁ ଏବଂ ଆଗକୁ ଦୁଇଟି ଲଘୁଚାପ ଥିବାରୁ ନଦୀ କୁଳରେ ରହିଥିବା ଗ୍ରାମବାସୀମାନଙ୍କ ଆଖିରୁ ନିଦ ହଜିଯାଇଛି ।