ବନ୍ଧୁକ ଫୁଟାଇ ସେଲିବ୍ରେସନ ପଡିଲା ମହଙ୍ଗା, ଥାନାରେ ଅଟକ ନବ ନିର୍ବାଚିତ ଜନପ୍ରତିନିଧି
ସୋନପୁର : ବନ୍ଧୁକ ଫୁଟାଇ ହରଡଘଣାରେ ପଡିଲେ ନବ ନିର୍ବାଚିତ ବିଜେଡି କାଉନସିଲର ତଥା ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ। ଶନିବାର ମଧ୍ୟାହ୍ନରେ ବିଜେଡି କାଉନସିଲର କଇରୁ ସ୍ବାଇଁ ଏକ ଡବଲ ବେରେଲ ଗନ ଫୁଟାଇବା ଅଭିଯୋଗରେ ଅଟକ ରଖିଛି ପୋଲିସ। ପୌର ପରିଷଦର ୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଭାବେ କଇରୁ ସ୍ବାଇଁ ବିଜୟୀ ହେବା ପରେ ତାଙ୍କର ବିଜୟ ଶୋଭାଯାତ୍ରା ବାହାରିଥିଲା।
ତେବେ ଶୋଭାଯାତ୍ରା ତାଙ୍କ ସମ୍ପର୍କୀୟ ରାମ ବାହାଦୁର ସିଂହଙ୍କ ଘର ଆଗରେ ପହଞ୍ଚିବା ପରେ ରାମ ବାହାଦୁର ସିଂହ କଇରୁ ସ୍ବାଇଁଙ୍କୁ ଏକ ଡବଲ ବେରେଲ ଗନ ଧରାଇ ଗୁଳି ଫୁଟାଇବା ପାଇଁ କହିଥିଲେ । ନବ ନିର୍ବାଚିତ କାଉନସିଲର କଇରୁ ବ୍ଲାଙ୍କ ଫାୟାରିଂ କରି ସେଲିବ୍ରେସନ କରିଥିଲେ ବିଜୟର ଉତ୍ସବ, ଯାହା ତାଙ୍କ ପାଇଁ ମହଙ୍ଗା ପଡିଛି । ଅନ୍ୟପଟେ ଗୁଳି ଫୁଟାଇବା ଘଟଣା ପରେ ଶୋଭାଯାତ୍ରାକୁ ବାତିଲ କରାଯିବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବ ନିର୍ବାଚିତ ବିଜେଡି କାଉନସିଲର କଇରୁ ସ୍ବାଇଁ ଓ ବନ୍ଧୁକ ଦେଇଥିବା ବ୍ୟକ୍ତି ରାମ ବାହାଦୁର ସିଂହଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏଥିସହ ବନ୍ଧୁକକୁ ମଧ୍ୟ ଜବତ କରିଛି ପୋଲିସ । ଉଭୟଙ୍କ ନାଁରେ ଆର୍ମସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।