ଅନ୍ତିମ ପର୍ଯ୍ୟାୟରେ ମୁନ ମିଶନ, ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଆଉ ୪ ଦିନ
ନୂଆଦିଲ୍ଲୀ : ଅନ୍ତିମ ପର୍ଯ୍ୟାୟରେ ମୁନ ମିଶନ। ଜହ୍ନ ରାଇଜକୁ ଆଉ ପାଦେ ଦୂର। ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ। ଡି-ବୁଷ୍ଟିଂ ପରେ ଚନ୍ଦ୍ରର ଆଉ ଏକ ନିମ୍ନ କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏଣିକି ଧିମା ହେବ ଚନ୍ଦ୍ରଯାନର ଗତି। ଏବେ ଚନ୍ଦ୍ରର ୧୧୩ ଗୁଣନ ୧୫୭ କିଲୋମିଟର କକ୍ଷପଥକୁ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଆଉ ଏକ ଡିଅର୍ବିଟିଂ ମାନ୍ୟୁଭର ଆଜି ରାତି ୮ଟା ବେଳେ ସମ୍ପାଦନ କରିବ ଇସ୍ରୋ। ଏହା ପରେ ଚନ୍ଦ୍ରଯାନର ବେଗ ଆହୁରି ହ୍ରାସ ପାଇବ। ତା ପରେ ଲ୍ୟାଣ୍ଡିଂ ପାଇଁ ଆରମ୍ଭ ହେବ ପ୍ରକ୍ରିୟା।
ଚନ୍ଦ୍ରଠାରୁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଏବେ ମାତ୍ର ୧୧୩ କି.ମି. ଦୂରରେ ଘୁରି ବୁଲୁଛି । ଅର୍ଥାତ ଲ୍ୟାଣ୍ଡର ବର୍ତ୍ତମାନ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ କି.ମି. ଓ ସର୍ବାଧିକ ୧୫୭ କି.ମି. ଦୂରରେ ପ୍ରଦକ୍ଷିଣ କରୁଛି । ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଏହାର ଡିବୁଷ୍ଟିଂ କରାଯାଇଛି । ଅର୍ଥାତ କକ୍ଷପଥକୁ ବଦଳାଯିବା ସହ ଦୂରତା କମ୍ କରାଯାଇଛି ଓ ବେଗ ମଧ୍ୟ ହ୍ରାସ କରାଯାଇଛି । ଏଥିପାଇଁ ଲ୍ୟାଣ୍ଡରରେ ଥିବା ଥ୍ରଷ୍ଟରକୁ କିଛି ସମୟ ଚାଲୁ କରାଯାଇଥିଲା ।
ଆସନ୍ତା ୨୦ ତାରିଖ ବିଳମ୍ବିତ ରାତି ୨ଟାରେ ଲ୍ୟାଣ୍ଡରରେ ଆଉ ଏକ ଡିବୁଷ୍ଟିଂ କରାଯିବ । ଯାହାଫଳରେ ଲ୍ୟାଣ୍ଡରକୁ ଚନ୍ଦ୍ରଠାରୁ ସର୍ବନିମ୍ନ ୨୪-୩୦ କି.ମି. ଓ ସର୍ବାଧିକ ୧୦୦ କି.ମି. ଦୂରତାକୁ ଅଣାଯିବ । ଏହି ପର୍ଯ୍ୟାୟ ହେବ ଇସ୍ରୋ ପାଇଁ ସବୁଠାରୁ କଠିନ ସମୟ । କାରଣ ଲ୍ୟାଣ୍ଡରର ଗତିକୁ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ବାଛିବା, ଠିକ୍ ଗତିରେ ଲ୍ୟାଣ୍ଡିଂ କରାଇବା ଆଦି କଠିନ ଓ ଜଟିଳ ପ୍ରକ୍ରିୟା । ଏସବୁ ପ୍ରକ୍ରିୟା ଠିକ୍ ରହିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ନ ୫ଟା ୪୭ ମିନିଟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରଠାରୁ ସବୁଠାରୁ କମ୍ ଦୂରତା ଅର୍ଥାତ ୨୪-୩୦ କି.ମି. ଦୂରରେ ରହିଥିବ ସେତେବେଳେ ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବା ପ୍ରକ୍ରିୟା ଆରମ୍ଭ ହେବ ।
ସେହି ସମୟରେ ଲ୍ୟାଣ୍ଡରର ଗତି ପ୍ରତି ସେକେଣ୍ଡରେ ୧୬୮୦ ମିଟର ଥିବ । କିନ୍ତୁ ତାକୁ ପ୍ରତି ସେକେଣ୍ଡରେ ୨ ମିଟର ଗତିକୁ କମ କରିବାକୁ ପଡିବ । ସେଥିପାଇଁ ଲ୍ୟାଣ୍ଡରର ଚାରି ଗୋଡରେ ଲାଗିଥିବା ୮୦୦ ୟୁନିଟ ଶକ୍ତି ସମ୍ପନ୍ନ ୧-୧ ଥ୍ରଷ୍ଟରକୁ ଫାୟାର କରିବାକୁ ପଡିବ । ୨ଟି ଲେଖାଏ ଥ୍ରଷ୍ଟର ଦୁଇଟି ପର୍ଯ୍ୟାୟରେ କାମ କରିବ । ଲ୍ୟାଣ୍ଡର ଓ ତା ଭିତରେ ଥିବା ରୋଭର (ପ୍ରଜ୍ଞାନ) ଯେଭଳି ଶକ୍ତି ଉତ୍ପାଦନ କରିପାରିବେ ସେଥିଲାଗି ସେମାନଙ୍କ ଠାରେ ସୋଲାର ପ୍ୟାନେଲ ଲଗାଯାଇଛି । ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଛି । ଆସନ୍ତା ୨୩ ତାରିଖରେ ସୂର୍ଯ୍ୟୋଦୟ ହେବ ।
ଗୁରୁବାର ଚନ୍ଦ୍ରଯାନ-୩ର ପ୍ରପଲସନ ମଡ୍ୟୁଲରୁ ଲ୍ୟାଣ୍ଡର ପୃଥକ ହୋଇଥିଲା । ପୃଥକ ହେବା ପରେ ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ସହାୟତାରେ ଶୁକ୍ରବାର ପ୍ରଥମ କରି ପ୍ରପଲସନ ମଡ୍ୟୁଲ ସହିତ ଚନ୍ଦ୍ରଯାନର ଫଟୋ ମଧ୍ୟ ଉଠାଯାଇଛି । ଇସ୍ରୋ ପକ୍ଷରୁ ଏହି ଫଟୋ ସୋସିଆଲ ମିଡିଆ ଟୁଇଟରରେ ସେୟାର କରାଯାଇଛି ।
ସୂଚନା ଯେ, ଗତ ଜୁଲାଇ ୧୪ରେ ଶ୍ରୀହରିକୋଟା ସତିଶ ଧାୱନ ସ୍ପେସ ସେଣ୍ଟରରୁ LVM3 ରକେଟ ଦ୍ବାରା ଅନ୍ତରୀକ୍ଷକୁ ଯାତ୍ରା କରିଥିଲା ଚନ୍ଦ୍ରଯାନ-୩ । ଚନ୍ଦ୍ର କକ୍ଷପଥରେ ଅଗଷ୍ଟ ୫ରେ ପ୍ରବେଶ କରିଥିଲା। ଅଗଷ୍ଟ ୧୭ ତାରିଖରେ ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର। ପ୍ରପଲସନ ମଡ୍ୟୁଲ ଏବେ ଯେଉଁ କକ୍ଷପଥରେ ରହିଛି ସେଇଠି ରହି ମାସମାସ ଏବଂ ବର୍ଷ ବର୍ଷ ଧରି ଗବେଷଣା ତଥ୍ୟ ସଂଗ୍ରହ କରିବ। ଏପଟେ ଆଉ ଏକ ଡି ଅର୍ବିଟିଂ ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ ପ୍ରସତୁତ ହେବ ଲ୍ୟାଣ୍ଡର ବିକ୍ରମ । ସବୁ କିଛି ଠିକ ଠାକ ରହିଲେ ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର। ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ଇସ୍ରୋ। ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର।