ଏଫ୍ଆଇଏଚ୍ ପ୍ରୋ ଲିଗ୍ : ଆଜି ଭାରତ-ସ୍ପେନ୍ ମୁକାବିଲା
ଭୁବନେଶ୍ବର : ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ଓ ସ୍ପେନ୍ ମଧ୍ୟରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଚଳିତ ଚରଣର ଶେଷ ମ୍ୟାଚ୍ ଖେଳାଯିବ। ଭାରତ ୩ ମ୍ୟାଚ୍ରୁ କେବଳ ସ୍ପେନ୍ ଠାରୁ ହାରି ଦ୍ବିତୀୟ ସ୍ଥାନରେ ରହିଛି।
ଅନ୍ୟପକ୍ଷରେ କଳିଙ୍ଗ ଷ୍ଟାଡିୟମ୍ରେ ସ୍ପେନ୍ର ବିଜୟ ଧାରାକୁ ନ୍ୟୁଜିଲାଣ୍ତ ରୋକିପାରିଛି। ଶନିବାର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ନ୍ୟୁଜିଲାଣ୍ତ ୧-୦ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ପେନ୍କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିଥିଲା। ସୁଟ୍ଆଉଟ୍ ବେଳେ ନ୍ୟୁଜିଲାଣ୍ତ୍ର ସିନ୍ ଫିଣ୍ତଲେ (ପ୍ରଥମ ସୁଯୋଗ)ଏକମାତ୍ର ଖେଳାଳି ଭାବେ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ। ଏଥିସହ ନ୍ୟୁଜିଲାଣ୍ତ କଳିଙ୍ଗରେ ୩ ପରାଜୟ ପରେ ସାନ୍ତ୍ବନାମୂଳକ ବିଜୟ ସହ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟରେ ସ୍ପେନ୍ ପାଇଁ ଜୋକ୍ବିନ୍ ମେନିନି ୪୭ ତମ ମିନିଟ୍ରେ ଗୋଲ ଦେଇଥିଲା ବେଳେ ଶେଷ ମିନିଟ୍ରେ କେନ୍ ରସେଲ୍ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଏହାକୁ ବରାବର କରିଥିଲେ। ବିଜୟୀ ଦଳର ସାଇମନ୍ ଚାଇଲ୍ଡ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଶନିବାର ଭୁବନେଶ୍ବର ଚରଣର ସବୁଠୁ ଶକ୍ତିଶାଳୀ ଦଳ ସ୍ପେନ୍କୁ ମୁକାବିଲା କରିବା ପାଇଁ ନ୍ୟୁଜିଲାଣ୍ତ୍ ଆରମ୍ଭରୁ ପ୍ରସ୍ତୁତ ଥିବାପରି ଦେଖାଯାଉଥିଲା। ଯଦିଓ ସ୍ପେନ୍ ଅଧିକ ଆକ୍ରମଣ କରୁଥିଲା କିନ୍ତୁ ନ୍ୟୁଜିଲାଣ୍ତ ରକ୍ଷଣଭାଗ ତାହାକୁ ପ୍ରତିହତ କରିବାରେ ସକ୍ଷମ ହେଉଥିଲେ। ପ୍ରଥମ ତିନି କ୍ବାର୍ଟରରେ ସ୍ପେନ୍କୁ ୩ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ କେଉଁଥିରେ ବି ସଫଳତା ମିଳିନଥିଲା। ତୃତୀୟ କ୍ବାର୍ଟରର ଶେଷ ମିନିଟ୍ରେ ନ୍ୟୁଜିଲାଣ୍ତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଏହା ବିବାଦୀୟ ହୋଇଯାଇଥିଲା। ପୋନାଲ୍ଟି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ବଲ୍ ସ୍ପେନ୍ ଖେଳାଳିଙ୍କ ଗୋଡ଼ରେ ବାଜିଥିଲା, ଏତିକିବେଳେ ସମୟ ଶେଷ ହେବାର ସାଇରନ୍ ମଧ୍ୟ ବାଜିଥିଲା। ଅମ୍ପାୟାର ଏହାକୁ ନାକଚ କରିଥିଲେ ହେଁ, ନ୍ୟୁଜିଲାଣ୍ତ ଖେଳାଳିମାନେ ପେନାଲ୍ଟି ପାଇଁ ଜିଦ୍ ଧରି ବସିଥିଲେ। ଦୁଇ ଅମ୍ପାୟାରଙ୍କ ସହ ଉଭୟ ଅଧିନାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।