ଫିଫା ବିଶ୍ବକପ୍: ଆଜି କାଂସ୍ୟ ପାଇଁ ମରକ୍କୋ-କ୍ରୋଏସିଆ ମୁକାବିଲା
ଦୋହା : ଫିଫା ବିଶ୍ବକପ୍ କାତାର ସଂସ୍କରଣର ଶନିବାର ତୃତୀୟ ସ୍ଥାନ ପାଇଁ ଖଲିଫା ଆନ୍ତର୍ଜାତିକ ଷ୍ଟାଡୟମ୍ରେ ମରକ୍କୋ ଓ କ୍ରୋଏସିଆ ମଧ୍ୟରେ ମୁକାବିଲା। ତେବେ ଦୁଇ ଦଳଙ୍କ ପୂର୍ବ ପ୍ରଦର୍ଶନକୁ ଦେଖିଲେ ଏହି ମ୍ୟାଚ୍ରେ ଗୋଲ୍ ସଂଖ୍ୟା ବହୁତ କମ୍ ରହିପାରେ। କାରଣ ଦୁଇ ଦଳ ଯଦିଓ ସେମିଫାଇନାଲ୍ରୁ ଯଥାକ୍ରମେ ଫ୍ରାନ୍ସ (୦-୨) ଓ ଆର୍ଜେଣ୍ଟିନା (୦-୩) ନିକଟରୁ ପରାସ୍ତ ହୋଇଥିଲେ, କିନ୍ତୁ ଉଭୟଙ୍କ ରକ୍ଷଣଭାଗ ଅନ୍ୟ ଦଳମାନଙ୍କ ଅପେକ୍ଷା ଉନ୍ନତମାନର ରହିଥିବା ଦେଖାଯାଇଛି। ତଥାପି ଜିତିବା ପାଇଁ ଦୁଇ ଦଳ ମଧ୍ୟରେ ଯେଉଁ ପ୍ରତିଦ୍ବନ୍ଦ୍ବିତା ହେବ ଏହା ଦର୍ଶକଙ୍କ ମନୋରଂଜନ ପାଇଁ ଯଥେଷ୍ଟ ହେବ। ସେହିପରି କ୍ରୋଏସିଆର ବରିଷ୍ଠ ଖେଳାଳି ଲୁକା ମୋଦ୍ରିକ୍ଙ୍କ ପାଇଁ ଏହା ଶେଷ ବିଶ୍ବକପ୍ ମ୍ୟାଚ୍ ହେବାକୁ ଯାଉଛି। ତେଣୁ ବିଦାୟୀ ମ୍ୟାଚ୍କୁ ଜିତି ଦଳ ତାଙ୍କୁ ଉପହାର ଦେବାକୁ ଚାହିଁବ। ଅନ୍ୟପକ୍ଷରେ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲ୍କୁ ଆସିଥିବା ମରକ୍କୋ ଟ୍ରଫିଠୁ ଦୂରେଇ ଯାଇଥିଲେ ବି ତୃତୀୟ ସ୍ଥାନ ଉପରେ ନଜର ରଖିଛି।
ଏଥିପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ଦଳ ଭେଟାଭେଟି ହୋଇଥିଲେ। କିନ୍ତୁ ମ୍ୟାଚ୍ ଗୋଲ୍ଶୂନ୍ୟ ରହିଥିଲା। ତଥାପି ବେଲ୍ଜିୟମ ଓ କାନାଡ଼ାକୁ ହରାଇ ମରକ୍କୋ ଗ୍ରୁପ୍ ବିଜେତା ହୋଇଥିଲା। ଏପରିକି ନକ୍ଆଉଟ୍ରେ ଗୋଟିକ ପରେ ଗୋଟିଏ ବିପର୍ଯ୍ୟୟ କରି ଦଳ ସେମିଫାଇନାଲ୍ରେ ପାଦ ଥାପିଥିଲା। ସେମିଫାଇନାଲ୍ ପର୍ଯ୍ୟନ୍ତ ସ୍ପେନ୍ ପରେ ଦ୍ବିତୀୟ ଦଳ ଭାବେ ଗୋଟିଏ ବିଶ୍ବକପ୍ ସଂସ୍କରଣରେ ଲଗାତାର ୫ ମ୍ୟାଚ୍ରେ ମରକ୍କୋ ଗୋଲ୍ବରଣ କରିନଥିଲା। ବିଶ୍ବକପ୍ ପୂର୍ବରୁ ଦୁଇ ଦଳ ୧୯୯୬ରେ ପରସ୍ପରକୁ ଭେଟିଥିଲା ବେଳେ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୨-୨ ଗୋଲ୍ରେ ଶେଷ ହୋଇଥିଲା। ପରେ ପେନାଲ୍ଟି ସୁଟ୍ଆଉଟ୍ରେ କ୍ରୋଏସିଆ ୫-୪ରେ ବିଜୟୀ ହୋଇଥିଲା। କିନ୍ତୁ ପୁରୁଣା ପରିସଂଖ୍ୟାନ ବର୍ତ୍ତମାନରେ କିଛି ମୂଲ୍ୟ ରଖୁନି। କାରଣ କାତାରରେ ପର୍ତୁଗାଲ୍, ସ୍ପେନ୍ ଭଳି ବଡ଼ ଦଳଙ୍କୁ ହରାଇଥିବାରୁ ଏବେ କ୍ରୋଏସିଆ ସତର୍କ ରହିଛି। ସେହିପରି ନକ୍ଆଉଟ୍ ପର୍ଯ୍ୟାୟରେ କ୍ରୋଏସିଆ ପେନାଲ୍ଟି ସୁଟ୍ଆଉଟ୍ରେ ବିଜୟୀ ହୋଇ ଶତପ୍ରତିଶତ ରେକର୍ଡ ବଜାୟ ରଖିଛି। ତେଣୁ ନିର୍ଦ୍ଧାରିତ ସମୟରେ ଏହାର ରକ୍ଷଣଭାଗକୁ ଭେଦିବା ମରକ୍କୋକୁ କାଠିକର ପାଠ ହୋଇପାରେ। ତେବେ ୨୦୧୮ ସଂସ୍କରଣର ଉପବିଜେତା କ୍ରୋଏସିଆ ୧୯୯୮ ବିଶ୍ବକପ୍ରେ ଶେଷ ଥର ତୃତୀୟ ସ୍ଥାନ ପାଇଁ ଖେଳିଥିଲା। ନେଦରଲାଣ୍ଡ୍ସ ବିପକ୍ଷ ଏହି ମ୍ୟାଚ୍କୁ ଦଳ ୨-୧ରେ ଜିତି ନେଇଥିଲା। ଫଳରେ କ୍ରୋଏସିଆ ମଧ୍ୟ ଭଲ ଟକ୍କର ଦେବା ପାଇଁ ପ୍ରସ୍ତୁତ ରହିଛି।