ଫିଫା ୧୭ ବର୍ଷରୁ କମ୍ ବିଶ୍ବକପ୍: ମରୋକ୍କୋ ଠାରୁ ୩-୦ରେ ହାରିଲା ଭାରତ, କ୍ବାର୍ଟରଫାଇନାଲରୁ ବାଦ୍
ଭୁବନେଶ୍ବର : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ର ଆୟୋଜକ ଭାରତର କ୍ବାର୍ଟର ଫାଇନାଲ୍ ଖେଳିବା ଅଶା ଚୂରମାର୍। ପ୍ରଥମ ମ୍ୟାଚ୍ରେ ଆମେରିକାଠୁ ୮-୦ ଗୋଲରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଯୁବା ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ମରୋକ୍କୋ ବିପକ୍ଷ ମ୍ୟାଚ୍କୁ ୩-୦ ଗୋଲ୍ରେ ହାରିଯାଇଛି। ମରକ୍କୋ ଠାରୁ ଭାରତ ହାରିବା ପରେ କ୍ୱାର୍ଟର ଫାଇନାଲ ଦୌଡରୁ ବାଦ ପଡିଛି ଭାରତୀୟ ଟିମ୍ । ଏଥିସହ ଭାରତ ମଧ୍ୟ ଦୁଇଟି ମ୍ୟାଚ୍ ଖେଳି ବିଜୟଶୂନ୍ୟ ଏବଂ ଗୋଲ୍ଶୂନ୍ୟ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ବିଶ୍ବକପ୍ ଖେଳିବାକୁ ଆସିଥିବା ମରୋକ୍କୋ ଐତିହାସିକ ବିଜୟ ସହ କ୍ବାର୍ଟର ଫାଇନାଲ୍ ଆଶା ବଳବତ୍ତର ରଖିଛି। ବିଜୟୀ ଦଳର ସାମ୍ୟା ମାସ୍ନୋଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ଆସନ୍ତା ୧୭ ତାରିଖରେ ସମ୍ମାନ ରଖିବା ପାଇଁ ବ୍ରାଜିଲ ବିପକ୍ଷରେ ଖେଳିବ ଭାରତ ।
କଳିଙ୍ଗ ଷ୍ଟାଡିୟମରେ ଭାରତ ଆରମ୍ଭରୁ ଭଲ ଖେଳିଥିଲା। ଅଷ୍ଟମ ମିନିଟ୍ରେ ପ୍ରଥମ କର୍ଣ୍ଣର ପାଇ ଆୟୋଜକ ଦଳ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଏହାକୁ ନେହା ସଠିକ୍ ପ୍ଲେସ୍ମେଣ୍ଟ କରିନପାରିବାରୁ ବଲ୍ ଖେଳାଳିଙ୍କ ଉପର ଦେଇ ବାହାରକୁ ଚାଲିଯାଇଥିଲା। ୧୪ତମ ମିନିଟ୍ରେ ମରୋକ୍କୋର ସାମ୍ୟା ମାସ୍ନୋଇଙ୍କ ଏକ ସଟ୍କୁ ଭାରତୀୟ ଗୋଲ୍ରକ୍ଷିକା ମେଲୋଡି କେଇସାମ ଅଟକାଇ ଦେଇଥିଲେ। ୨୦ତମ ମିନିଟ୍ରେ ମରୋକ୍କୋର ଏକ ସଟ୍ ଗୋଲ୍ ବାର୍ରେ ବାଜି ବାହାରକୁ ଚାଲିଯିବାରୁ ଭାରତ ପୁଣି ବଞ୍ଚିଯାଇଥିଲା। ୩୭ତମ ମିନିଟ୍ରେ ଶୁଭାଙ୍ଗୀ ସିଂହ ବଲ୍ ନେଇ ମରୋକ୍କୋ ଗୋଲ୍ପୋଷ୍ଟ୍ର ନିକଟତର ହୋଇଯାଇଥିଲେ। ହେଲେ ତାଙ୍କ ସଟ୍ ଗୋଲ୍ ପୋଷ୍ଟ୍ ବାହାରକୁ ଚାଲିଯାଇଥିଲା। ଏହିପରି ଅକ୍ରମଣ ପ୍ରତିଆକ୍ରମଣରେ ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ମରୋକ୍କୋ ଆକ୍ରମଣ ଆରମ୍ଭ କରିଦେଇଥିଲା। ୫୦ତମ ମିନିଟ୍ରେ ଭାରତର ପେନାଲ୍ଟି ଏରିଆ ଭିତରେ ନାକେତାଙ୍କ ହାତରେ ବଲ୍ ବାଜିଯିବାରୁ ମରୋକ୍କୋକୁ ପେନାଲ୍ଟି ମିଳିଯାଇଥିଲା। ଏହାକୁ ଦୋହା ଇଲ୍ ମୋଦାନି ଗୋଲ୍ରେ ପରିଣତ କରି ମରୋକ୍କୋକୁ ଅଗ୍ରଣୀ ଦେଇଥିଲେ। ୫୩ ମିନିଟ୍ରେ ଫାଉଲ୍ ହେବାରୁ ଭାରତକୁ ଫ୍ରି କିକ୍ ମିଳିଥିଲା। ହେଲେ ଅନିତା କୁମାରୀ ଏହାକୁ ବିପକ୍ଷ ଦଳର ରକ୍ଷଣଭାଗ ଉପରେ ମାରିଦେଇଥିଲେ। ୬୨ତମ ମିନିଟ୍ରେ ସାମ୍ୟା ମାସ୍ନୋଇଙ୍କ ପାସ୍କୁ ମରୋକ୍କୋ ଅଧିନାୟିକା ୟାସମିନ୍ ଜୋହିର ଭାରତୀୟ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏହାପରେ ଭାରତ ପ୍ରତିଆକ୍ରମଣ କରି ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍ ଦେବାରେ ବିଫଳ ହୋଇଥିଲା। ମ୍ୟାଚ୍ର ଇନ୍ଜୁରି ସମୟରେ ଜେନ୍ହା ଚେରିଫ (୯୦+୧ ମିନିଟ୍) ଆଉ ଏକ ଗୋଲ୍ ଦେଇ ମରୋକ୍କୋକୁ ୩-୦ର ବିଜୟ ଭେଟି ଦେଇଥିଲେ। ଭାରତ ନିଜର ଅନ୍ତିମ ପୁଲ୍ ମ୍ୟାଚ୍ ସୋମବାର ବ୍ରାଜିଲ୍ ବିପକ୍ଷରେ ଖେଳିବ।