କଲ୍ୟାଣସିଂହପୁରକୁ ବ୍ୟାପିଲା ଝାଡ଼ାବାନ୍ତି; ଜଣେ ମୃତ, ୧୦ ଆକ୍ରାନ୍ତ
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ କଲେରା ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ପାଇଁ ଏହାର ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ୪ଦିନ ତଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ ଜଣ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ସିକରପାଇ ପଂଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗାଁର ଅଭିନ କାଲାଟିଆ(୨୭) ବୋଲି ଜଣା ପଡ଼ିଛି । ସ୍ୱାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଟିମ୍ ଆକ୍ରାନ୍ତ ଗାଁରେ ପହଂଚି ଚିକିତ୍ସା କରୁଛନ୍ତି । ଆଜି ଏଡିଏମଓ ଡା. ମମତା ସାହୁ ସିକରପାଇ ଓ କଲ୍ୟାଣସିଂପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
ସୂଚନା ଅନୁଯାୟୀ, ସିକରପାଇ ପଂଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମର ଅଭିନ କାଲାଟିଆଙ୍କୁ ଗତ କିଛି ଦିନ ତଳେ ଝାଡ଼ାବାନ୍ତି ହୋଇଥିଲା । ପ୍ରଥମେ ସେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ୫ଦିନ ତଳେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏହାର ଦିନକ ପରେ ଅଭିନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେହିପରି ବ୍ଲକର ଅନ୍ୟ କିଛି ଗାଁରେ ଗତ ଏକ ସପ୍ତାହ ହେଲା କିଛି ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି ।
ସେହିପରି କାଶୀପୁର ରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତମାନ ଝାଡ଼ାବାନ୍ତି ସ୍ଥିତି ରାଜ୍ୟରେ ସ୍ଥିର ଅଛି । ୬ଟି ଜିଲ୍ଲାରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମୁଦାୟ ୩୮୨ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୩ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲାରୁ ୯ ଜଣ, ଗଜପତିରୁ ଜଣେ, ନବରଙ୍ଗପୁର ଜଣେ, ନୂଆପଡ଼ା ଜଣେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଂଚଳରୁ ଜଣଙ୍କର ମୃତ୍ୟୁ ହୋଇଛି । ସବୁ ସ୍ଥାନରେ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପିଇବା ପାଣିକୁ ବିଶୋଧନ କରି ପିଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି । ଲୋକମାନେ ଖୋଲାରେ ଥିବା ଜଳ ଉତ୍ସକୁ ବ୍ୟବହାର କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।