ରାଜ୍ୟରେ ବଢିଛି କନ୍ୟା ଭ୍ରୁଣ ହତ୍ୟା, କମିଛି ଝିଅ ସଂଖ୍ୟା : ରିପୋର୍ଟ
ଭୁବନେଶ୍ୱର : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ରିପୋର୍ଟ ପ୍ରକାଶିତ ହୋଇଛି । ରିପୋର୍ଟରେ ଏକାଧିକ ଚମକାଇ ଦେଲା ଭଳି ତଥ୍ୟ ରହିଛି । ରାଜ୍ୟରେ କନ୍ୟା ଭୃଣ ହତ୍ୟା ବଢୁଥିବା ଯୋଗୁଁ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି । ଆଉ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ନିଜ ମନ୍ତବ୍ୟ ରଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।
ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସୂଚନା ଅନୁସାରେ ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ କମିଶନ ପକ୍ଷରୁ ସଚେତନତା କରାଯାଉଛି । ଯେଉଁ ସବୁ ଜିଲ୍ଲା ଗୁଡିକରେ ପୁଅଙ୍କ ତୁଳନାରେ ଝିଅ କମ ରହିଛନ୍ତି ସେଠାରେ ବିଭିନ୍ନ ଅନୁଷ୍ଠାନ କାମ କରୁଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିଜୁ କନ୍ୟାରତ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି । ଗଞ୍ଜାମ ଓ ଅନୁଗୁଳ ସମେତ ୬ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିଛି । କନ୍ୟା ଭୃଣ ହତ୍ୟା ବଢୁଥିବା ଯୋଗୁଁ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି । ଯେଉଁ ଲୋକ ମାନଙ୍କ ମଧ୍ୟରେ ଏବେ ବି ପୁଅ ଓ ଝିଅ ମାନଙ୍କ ଅସମାନତା ନେଇ ଭ୍ରାନ୍ତ ଧାରଣା ଅଛି । ସେମାନଙ୍କୁ ସଚେତନ କରାଯାଉଛି । ଯେଉଁଠି ସ୍ଥିତି ଚିନ୍ତା ଜନକ ଅଛି , ସେଠାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପରାମର୍ଶ ଦେଉଛନ୍ତି। ଅନ୍ୟପଟେ ଶିଶୁ ବିଶେଷଜ୍ଞ ରଞ୍ଜନ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟ କମିଛି। ରାଜ୍ୟରେ ଯେତେ ପ୍ରସାର ପ୍ରଚାର କରାଯାଉଥିଲେ ମଧ୍ୟ ଲୋକମାନେ ନିହାତି ଭାବରେ ସଚେତନ ହେବା ଆବଶ୍ୟକ। ଝିଅ ଗୋଟିଏ ବୋଝ ଝିଅ ହେଲେ ଆଗକୁ ଵଂଶ ବୃଦ୍ଧି ହେବ ନାହିଁ ଏଭଳି ମନଭାବ ରହିଲେ ଝିଅଙ୍କ ସଂଖ୍ୟା କମିବ ବୋଲି କହିଛନ୍ତି।
ଜାତୀୟପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ନବଜାତ ଶିଶୁଙ୍କ ମଧ୍ୟରେ କମୁଛି କନ୍ୟା ସଂଖ୍ୟା । ଏକ ହଜାର ପୁଅଙ୍କ ତୁଳନାରେ ୮୯୪ ଝିଅ ଅଛନ୍ତି । କିନ୍ତୁ ୨୦୧୫-୧୬ ରିପୋର୍ଟ ରେ ଏହା ୯୩୨ ରହିଥିଲା । ଗତଥର ଅପେକ୍ଷା ଝିଅଙ୍କ ସଂଖ୍ୟା କମିଛି । ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ଉନ୍ନତି ଘଟିଥିବା ଜଣାଯାଇଛି । ରାଜ୍ୟରେ ୯୦.୫ ପ୍ରତିଶତ ଶିଶୁଙ୍କର ସଂପୂର୍ଣ୍ଣ ଟିକାକରଣ କରାଯାଇଛି । ଉପଯୁକ୍ତ ପୋଷଣ ଅଭାବରୁ ବୟସାନୁପାତରେ ଉଚ୍ଚତା କମ ରହୁଥିବା ପିଲାଙ୍କ ସଂଖ୍ୟା ଗତ ଫଳାଫଳ ଅନୁସାରେ ଚଳିତ ଥର ୩.୧ ପ୍ରତିଶତ କମ ରହିଛି। ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ସମ୍ଭାବନା ଥିବା ଶିଶୁଙ୍କ ପ୍ରତିଶତ ୨୩କୁ ହ୍ରାସ ପାଇଛି। ସେହିପରି କମ ଓଜନ ଶିଶୁଙ୍କ ସଂଖ୍ୟା ୪.୭% କମିଥିବା ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ପ୍ରଜନନ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ପୂର୍ବ ତୁଳନାରେ ମହିଳାମାନେ ଏବେ କମ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ଗତ ୫ ବର୍ଷ ଭିତରେ ଏହା ୦.୩% ପଏଣ୍ଟ ହ୍ରାସ ପାଇଛି। ୨୦୧୫-୧୬ ମସିହାରେ ରାଜ୍ୟର ପ୍ରଜନନ ହାର ୨.୧ ଥିବାବେଳେ ୨୦୨୦-୨୧ ଏହା ୧.୮%କୁ ଖସି ଆସିଛି। ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ହାର ସାମାନ୍ୟ ଅଧିକ ରହିଛି। ଏହା ସହ ଗର୍ଭ ନିରୋଧକଲ ବଟିକା ବ୍ୟବହାର ମଧ୍ୟ ହ୍ରାସ ପାଇଛି ।