ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଖୋ-ଖୋ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଖୋ-ଖୋ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଅଲଟିମେଟ ଖୋ-ଖୋ ନାମକ ଏକ ଜାତୀୟସ୍ତରୀୟ ଖୋ-ଖୋ ଚାମ୍ପମିଅନସିପରେ ବିଶ୍ୱବିଦ୍ୟାଳୟ ଅଧୀନରେ ଅଧ୍ୟୟନରତ ଜଗନ୍ନାଥ ମୁର୍ମୁ, ଶୁକନାଥ ସିଂ, ସିଦ୍ଧେଶ୍ୱର ଟୁଡୁ ଏବଂ ଲିପୁନ ମୁଖି ଏହି ଚାମ୍ପିଅନସିପ୍ରେ ଉତ୍ତମ ଖେଳ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ସାଉଁଟିଥିଲେ । ଉନ୍ନତ ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଉକ୍ତ ୪ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଖେଳର ପ୍ରଚାର ପ୍ରସାର ଓ ଖେଳକୁଦକୁ ଆଧାର କିରି ଏକ ସୁସ୍ଥ ଶିକ୍ଷା ବ୍ୟବସ୍ଥାର ଚିନ୍ତାଧାରାକୁ ବିଶ୍ୱବିଦ୍ୟାଳୟ ସଦାସର୍ବଦା ଉତ୍ସାହିତ କରିଆସିଛି । ଗ୍ରାମୀଣ ଫୁଟବଲ ହେଉ କି ଅନ୍ତଃବିଶ୍ୱବିଦ୍ୟାଳୟ ଭଲିବଲ୍ ଅବା ଖୋ-ଖୋ ଟୁର୍ନାମେଣ୍ଟ, ବିଶ୍ୱବିଦ୍ୟାଳୟ ସଦାସର୍ବଦା ବିଭିନ୍ନ ପ୍ରକାରର ଖେଳର ଉନ୍ନତି ଦିଗରେ ଚେଷ୍ଟିତ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଜାତାୟସ୍ତରୀୟ ଦଳରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିବା ହେତୁ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାଙ୍କର ଏହି ସଫଳତା ନିଶ୍ଚିତରୂପେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିଥିଲେ । କୁଳସଚିବ କୁକୁମିନା ଦାସ ଏକ ସୁସ୍ଥ ଶରୀର ଓ ଏକ ସୁସ୍ଥ ମନ ଗଠନରେ କ୍ରୀଡ଼ାର ଭୂମିକାକୁ କଦାପି ଏଡ଼ାଇ ଦିଆଯାଇ ନପାରେ ଓ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କର ଏହିପରି ଏକ ସଫଳତା କେବଳ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏହା ଏ ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏଥି ସହିତ ସଫଳ ଖୋ-ଖୋ କୋଚ ଭାବେ ସୁଖ୍ୟାତି ଅର୍ଜନ କରିଥିବା ତଥା ବିଶ୍ୱବିଦ୍ୟାଳୟର ଖୋ-ଖୋ କୋଚ ରୂପେ କାର୍ଯ୍ୟକରୁଥିବା ମଳୟ ରଞ୍ଜନ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଭାସ୍କର ବେହେରା ଓ କ୍ରୀଧା ଅଧିକାରୀ ସଂଗ୍ରାମ କେଶରୀ ବିଶୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳରେ ସମସ୍ତ ଶିକ୍ଷକ, ଅଣଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ସୂଚନା ଯେ, ଗତ ଅଗଷ୍ଟ ୧୪ ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ମହାରାଷ୍ଟ୍ରର ପୁନେ ସ୍ଥିତ ଶ୍ରୀ ଛତ୍ରପତି ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିଅନସିପ୍ରେ ଓଡ଼ିଶାର “ଓଡ଼ିଶା ଜଗରନଟ” ସମେତ ଅନ୍ୟ ୬ଟି ରାଜ୍ୟର ଦଳ ଭାଗ ନେଇଥିଲେ । ଏଥିରେ ଓଡ଼ିଶା ଜଗରନଟ ଚମ୍ପିୟାନ ହୋଇଥିଲା ।