ଫେବ୍ରୁଆରି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର : ଶ୍ରେୟସ, ମିତାଲି ଓ ଦୀପ୍ତିଙ୍କ ନାମ ସୁପାରିସ
ଦୁବାଇ : ଭାରତୀୟ ପୁରୁଷ କ୍ରିକେଟର୍ ଶ୍ରେୟସ ଆୟରଙ୍କ ବ୍ୟତୀତ ମହିଳା ଦଳର ଅଧିନାୟିକା ମିତାଲି ରାଜ ଏବଂ ଅଲ୍ରାଉଣ୍ଡର ଦୀପ୍ତି ଶର୍ମାଙ୍କ ନାମ ସେମାନଙ୍କ ପ୍ରଦର୍ଶନ ଆଧାରରେ ଆଇସିସି ଦ୍ୱାରା ଫେବ୍ରୁଆରି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ସୁପାରିସ କରାଯାଇଛି । ଏହି ପୁରସ୍କାର ତାଲିକାର ପୁରୁଷ ବର୍ଗରେ ୟୁଏଇ ବ୍ୟାଟର୍ ଭ୍ରିତ୍ୟା ଅରବିନ୍ଦ ଏବଂ ନେପାଳର ଦୀପେନ୍ଦ୍ର ସିଂହ ଆଇରେ ଏବଂ ମହିଳା ବର୍ଗରେ ଦୁଇ ଭାରତୀୟଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ୍ ଅଲ୍ରାଉଣ୍ଡର ଆମେଲିଆ କୌର୍ ରହିଛନ୍ତି । ଶ୍ରେୟସ ଆୟର ଫେବ୍ରୁଆରିରେ ଅଦମନୀୟ ରହିଥିଲେ । ଧଳା ବଲ୍ରେ ସେ ଭାରତ ପାଇଁ ମହତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାର ଶେଷ ଦିନିକିଆରେ ମ୍ୟାଚ୍ ବିଜୟୀ ୮୦ ରନ୍ରୁ ମାସ ଆରମ୍ଭ କରିଥିବା ଶ୍ରେୟସ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳାରେ ମଧ୍ୟ ଚମକ ଛାଡ଼ିଥିଲେ । ସେ ଏହି ଶୃଙ୍ଖଳାର ତିନି ମ୍ୟାଚ୍ରେ କ୍ରମାଗତ ଅପରାଜିତ ଅର୍ଦ୍ଧଶତକ ସହ ମୋଟ ୨୦୪ ରନ୍ କରିଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୪.୩୫ ଥିଲା ବେଳେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଅନ୍ୟପକ୍ଷରେ ମିତାଲି ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପାଇଁ ସର୍ବାଧିକ ସ୍କୋରର୍ ରହିଥିଲେ । ତିନି ଅର୍ଦ୍ଧଶତକ ଜରିଆରେ ମୋଟ ୨୩୨ ରନ୍ କରି ଶୃଙ୍ଖଳାରେ ଉଭୟ ଦଳ ପକ୍ଷରୁ ଦ୍ୱିତୀୟ ସର୍ବୋଚ୍ଚ ସ୍କୋରର୍ ହୋଇଥିଲେ । ତାଙ୍କ ହାରାହାରି ୭୭.୩୩ ଏବଂ ଷ୍ଟ୍ରାଇକ୍ ରେଟ୍ ୮୨.୫୬ ଥିଲା । ଶେଷ ଦିନିକିଆରେ ଅପରାଜିତ ୫୪ ରନ୍ କରି ଭାରତକୁ ବିଜୟ ଭେଟି ଦେଇ ଥିଲେ । ଅଲ୍ରାଉଣ୍ଡର ଦୀପ୍ତି ସେହି ଶୃଙ୍ଖଳାରେ ଉଭୟ ବ୍ୟାଟ୍ ଓ ବଲ୍ରେ କମାଲ ଦେଖାଇଥିଲେ । ସେ ମୋଟ ୧୦ ୱିକେଟ୍ ଅକ୍ତିଆର କରିଥିଲା ବେଳେ ୧୧୬ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ୪ ୱିକେଟ୍ ନେବା ପରେ ପରବର୍ତୀ ମ୍ୟାଚ୍ରେ ଅପରାଜିତ ୬୯ ରନ୍ କରିଥିଲେ ।