ରାଜ୍ୟକୁ ବାତ୍ୟା ଭୟ! ୩୦ରେ ସ୍ପଷ୍ଟ ହେବ ଚିତ୍ର
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ
ଭୁବନେଶ୍ୱର : ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ତାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ଧିରେ ଧିରେ ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାପରେ ଏହି ଅବପାତ ଉତ୍ତର ପୂର୍ବ ଦିଗକୁ ଗତି କରିବ ।
ଏହାର ୪୫ ଘଣ୍ଟା ପରେ ଅବପାତ ବଳ ଘୋଟାଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏନେଇ ଆସନ୍ତା ଡ଼ିସେମ୍ବର ୧ କିମ୍ବା ୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁ୍ଦ୍ଧା ସ୍ପଷ୍ଟ ହେବ । ତେବେ ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ କିମ୍ବା ମିଆଁମାର ଆଡ଼କୁ ଗତି କରିବ ।
ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଜଗତସିଂହପୁର ଜିଲା ଉପରେ ଏହାର ପ୍ରଭାବ ପଡିବା ନେଇ ସମ୍ଭାବନା ଥିବା କେତେକ ବେସରକାରୀ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କିମି ହେବ ବୋଲି ଆକଳନ କରାଯାଉଛି । ସେପଟେ କାର୍ତ୍ତିକ ମାସ ଶେଷ ହୋଇଥିଲେ ମଧ୍ଯ ରାଜ୍ୟରେ ଶୀତର ଦେଖା ନାହିଁ । ନଭେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସୁଥିବା ବେଳେ ଚଳିତ ବର୍ଷ ଏହା ୧୩ରୁ ୧୫ ଡିଗ୍ରୀ ଉପରେ ରହୁଛି ।
ସେହିପରି ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବାତ୍ୟାର ଆଶଙ୍କା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ଓ ତାର ପାର୍ଶ୍ବବର୍ତୀ ଅଂଚଳରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଅବପାତର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପଟି ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ୨୯ ତାରିଖରେ ଅବପାତର ରୂପ ନେବା ପରେ ହିଁ ବାତ୍ୟାର ରୂପରେଖ କ’ଣ ରହିବ ତାହା ସ୍ପଷ୍ଟ ହୋଇପାରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ମେଘୁଆ ପାଗ ସହ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି।