ଟଳିଲା ଲଘୁଚାପ ଭୟ, ଜାରି ରହିବ କୋହଲା ପାଗ : ୨୦ରୁ ବର୍ଷା
ଭୁବନେଶ୍ୱର : ଟଳିଲା ଲଘୁଚାପ ଭୟ, ହେଲେ ଜାରି ରହିବ କୋହଲା ପାଗ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସହ ସକ୍ରିୟ ରହିଛି । କ୍ରମେ ଏହା ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରି ଆସନ୍ତା ୧୮ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ରେ ପଂହଁଚିବ ।
ତେବେ ପୂର୍ବ ଆକଳନ ମୁତାବକ ଏହା ଘନୀଭୂତ ହୋଇ ସଦୃଶ ଲଘୁଚାପ କିମ୍ବା ଅବପାତର ରୂପ ନେବ ନାହିଁ । ଫଳରେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ ମୁତାବକ ଆଗାମୀ ୪ ଦିନ ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହାସହ ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି ତଥା ମେଘୁଆ ପାଗ ଯୋଗୁ, ଧାନ ତଥା ବିଭିନ୍ନ ପନିପରିବା ଜାତୀୟ ଚାଷରେ ରୋଗ ପୋକ ବୃଦ୍ଧିର ସମ୍ଭାବନା ରହିଛି । ଏହାସହ ଆଗାମୀ ୩ ରୁ ୪ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, ବୌଦ୍ଧ ରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହାପରେ ୨୦ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ହୋଇପାରେ । ସେହିଭଳି ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବ ନାହିଁ । ତେବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ହେତୁ ୧୮ ତାରିଖରେ ଧୀବର ମାନଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।