କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବାଞ୍ଚଳ ଆଇଜି ଓ ଏସପିଙ୍କୁ ଅଭିଯୋଗ
ବାଲେଶ୍ୱର : ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାହାନଗା ବ୍ଲକ ଅଞ୍ଚଳରେ ଶାସକ ବିଜେଡି ଦଳର କର୍ମୀ ମାନେ ଗୁଣ୍ଡାରାଜ ଚଳାଇଛନ୍ତି । ବିଶେଷ କରି ଶାସକ ଦଳର କର୍ମୀମାନେ କଂଗ୍ରେସ ଦଳର ନିର୍ବାଚିତ ଜନପ୍ରତିନିଧି ଓ ତଳିଆ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି । ଥାନାରେ ଏପରିକି ଜିଲାପାଳ ଓ ଏସ୍ପିଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଫଳରେ ବୁଧବାର କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ପୂର୍ବାଞ୍ଚଳ ରେଞ୍ଜ ଆଇଜି ହିମାଂଶୁ ଲାଲ ଏବଂ ଜିଲା ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଅନୁରୋଧ କରିଛନ୍ତି । ଆଇଜି ଏବଂ ଏସ୍ପି ସମସ୍ତ ଅଭିଯୋଗ ଶୁଣିବା ପରେ ଆଇନ ମୁତାବକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅପ୍ରେଲ ୧୧ତାରିଖରେ ନୂଆପୁର ପଞ୍ଚାୟତ ଅଫିସରେ ସରପଞ୍ଚ ଅଟଳ ବିହାରୀ ରାଉତ ୱାର୍ଡ଼ ମେମ୍ବରମାନଙ୍କ ସହ ବୈଠକରେ ବସିଥିବାବେଳେ ୧୮ନମ୍ବର ଜିଲା ପରିଷଦ ସଭ୍ୟ ତଥା ବିଜେଡିର ସ୍ଥାନୀୟ ନେତା ନୀଳାମ୍ବର ମହାଳିକ ସରପଞ୍ଚଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ପ୍ରକୋଷ୍ଠରେ ଅନୁପ୍ରବେଶ କରି ସରକାରୀ ଫାଇଲ ଛଡାଇ ନେଇଥିଲେ । ସେହିପରି ଗତ ଅପ୍ରେଲ ୧୪ତାରିଖ ରାତି ପ୍ରାୟ ୧୦ଟା ସମୟରେ ନୂଆପୁର ପଞ୍ଚାୟତର କଂଗ୍ରେସ କର୍ମୀ ଜଗଦାନନ୍ଦ ସାହୁ ଘରକୁ ଫେରୁ ଥିବାବେଳେ ଶାସକ ଦଳର ଗୁଣ୍ଡା ମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡ ଫଟାଇଦେବା ସହ ଆଣ୍ଠୁକୁ ପିଟି ଭାଙ୍ଗି ଦେଇଥିଲେ । ଏତିକିରେ ଆକ୍ରମଣ ତାଣ୍ଡବ ସରି ନଥିଲା । ଗତ ସେପ୍ଟେମ୍ବର ୪ ତାରିଖରେ ନୂଆପୁର ପଞ୍ଚାୟତ ସରପଞ୍ଚ ଅଟଳ ବିହାରୀ ରାଉତ ରାତିରେ ଦଳୀୟ ସଭା ସାରି ଘରକୁ ଫେରିବା ବେଳେ ଶାସକ ଦଳ କର୍ମୀ ମାନେ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ବାହାନଗା ଥାନାରେ ଅଭିଯୋଗ କରାଯାଇଥିଲା । ଏ ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ପୋଲିସ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କିମ୍ୱା ଜିଲା ପ୍ରଶାସନ କୌଣସି ତଦନ୍ତ କଲେ ନାହିଁ । ଫଳରେ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଅପରାଧୀ ମାନଙ୍କ ଗୁଣ୍ଡାମୀ ଯୋଗୁଁ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଦି ପୋଲିସ ପ୍ରଶାସନ ୭ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଆଇନ ମୁତାବକ ତଦନ୍ତ କରି ଗିରଫ ନକରନ୍ତି ତେବେ ଦଳ ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ । ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଓ ଭଦ୍ରକର ପୂର୍ବତନ ଏମ୍ପି ଅନନ୍ତ ପ୍ରସାଦ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲିସ ଆଇଜିଙ୍କୁ ସାକ୍ଷାତ କରି ଏ ମର୍ମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପ୍ରତିନିଧି ମଣ୍ଡଳୀରେ ସୋର ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକ, ଜିଲା କଂଗ୍ରେସ ପୂର୍ବତନ ଉପସଭାପତି ଗୋପୀନାଥ ପାଢ଼ୀ, ମଧୁସୂଦନ ମହାପାତ୍ର, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞା ପାରମିତା ମହାନ୍ତି, ବାସନ୍ତୀ ସାମଲ, ଶ୍ରୀକାନ୍ତ ଜେନା, ଅଜୟ କୁମାର ଦ୍ୱିବେଦୀ, କାଶୀନାଥ ଦାସ ମଦନ ମହାପାତ୍ର, ମନ୍ମଥ ଶିଅଳ ଏବଂ ସୁବ୍ରତ ପ୍ରଧାନ ପମୁଖ ଉପସ୍ଥିତ ଥିଲେ ।