ଚାଷୀଙ୍କ ଆନ୍ଦୋଳନ ସଫଳ : ୭୫୦ ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କହିଲେ ଟିକାୟତ
ନୂଆଦିଲ୍ଲୀ : ବିଳମ୍ବରେ ହେଉ ପଛେ ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ସଫଳ ହୋଇଛି । ଆଜି ସଂସଦର ଶୀତ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି । ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ଏହା ସହିତ ଏମଏସପି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ବିଚାରାଧୀନ ଥିବାରୁ ବିରୋଧ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତ ।
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ଉପସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଆଧାରରେ ଆଜି ପ୍ରଥମ ଦିନରେ ବିବାଦୀୟ ଆଇନ୍କୁ ପ୍ରତ୍ୟାହାର ପାଇଁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ଲୋକସଭାରେ କୃଷି ଆଇନ୍ ଉଚ୍ଛେଦ ବିଲ୍ ପାରିତ ହୋଇଛି । ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ ।
ସୂଚନାଯୋଗ୍ୟ ଯେ, ଗତ ଏକବର୍ଷ ହେଲା ଦେଶରେ ୩ଟି କୃଷି ଆଇନ୍କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏପରିକି ଦିଲ୍ଲୀ ସୀମାରେ ପାଖାପାଖି ବର୍ଷେ ହେଲା ଚାଷୀମାନେ ଧାରଣାରେ ବସିଥିଲେ । ଶେଷରେ ୧୯ ତାରିଖ ଦିନ ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ଭୋଧିତ କରି ବିବାଦୀୟ ୩ଟି କୃଷି ଆଇନ୍କୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ପରେ ଏହି କୃଷି ଆଇନ୍ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଥିଲା । ଏହାପରେ ଆଜି ଲୋକସଭାରେ ଏହି ବିବାଦୀୟ ବିଲ୍ ପାରିତ ହୋଇଛି ।