ଖେତରୁ ୬.୪୭ କ୍ୟାରେଟର ହୀରା ପାଇଲେ ଚାଷୀ
ପନ୍ନା : ମଧ୍ୟପ୍ରଦେଶ ପନ୍ନା ଜିଲାରେ ସରକାରୀ ଜମି ପଟ୍ଟାରେ ନେଇ ଖଣି କରୁଥିବା ଜଣେ ଚାଷୀଙ୍କ ଖେତରୁ ୬.୪୭ କ୍ୟାରେଟର ସ୍ୱଚ୍ଛ ହୀରା ମିଳିଛି। ଚାଷୀ ପ୍ରକାଶ ମଜୁମଦାର ହୀରା ପ୍ରଭାରୀଙ୍କୁ ଏହା ପ୍ରଦାନ କରିଥିବା ବେଳେ ଏହାକୁ ଆଗାମୀ ନିଲାମରେ ରଖା ଯିବ ବୋଲି ସେ କହିଛନ୍ତି। ପ୍ରକାଶ ତାଙ୍କ ଖେତରୁ ଏଥରକୁ ମିସାଇ ୬ ଥର ହୀରା ପାଇଲେଣି। ଶେଷ ହୀରାଟି ସେ ଶୁକ୍ରବାର ପାଇଛନ୍ତି ବୋଲି ଜିଲା ହୀରା ପ୍ରଭାରୀ ଅଧିକାରୀ ନୂତନ ଜୈନ କହିଛନ୍ତି।
ମଜୁମଦାର ପାଇଥିବା ହୀରା ନିଲାମ ହେଲେ ସେଥିରୁ ଯାହା ମିଳିବ ଖେତରେ ହୀରା ଖୋଳୁଥିବା ତାଙ୍କ ୫ ଭାଗୁଆଳିଙ୍କ ସହ ବାଣ୍ଟିବେ। ଏହି ହୀରାକୁ ସରକାରୀ ନୟମାବଳୀ ଅନୁସାରେ ନିଲାମ କରାଯିବ। ଏଥିରୁ ସରକାରୀ ରୟାଲ୍ଟି ଓ ଶୁଳ୍କ କାଟ ପରେ ଯାହା ବଞ୍ଚିବ ତାହା ଚାଷୀଙ୍କୁ ପ୍ରଦାନ କରାଯିବ। ଏହି ବାବଦେ ଚାଷୀ ଅନୁନ୍ୟ ୩୦ଲକ୍ଷ ପାଇବେ ବୋଲି ଆକଳନ କରାଯାଉଛି। ଗତ ୨ ବର୍ଷରେ ସେ ଖେତରୁ ବିଭିନ୍ନ ପ୍ରକାରର ୫ଟି ହୀରା ପାଇଥିଲେ। ମଧ୍ୟପ୍ରଦେଶ ବୁନ୍ଦେଲଖଣ୍ଡ ଅଞ୍ଚଳର ପନ୍ନା ଜିଲ୍ଲାରେ ପ୍ରାୟ ୧୨ଲକ୍ଷ କ୍ୟାରେଟ ହୀରାର ଭଣ୍ଡାର ଥିବାର ଆକଳନ କରାଯାଉଛି। ପନ୍ନା ହୀରା ସଂରକ୍ଷିତ ଅଞ୍ଚଳରେ ଲୋକଙ୍କୁ ଛୋଟ ଛୋଟ ଆକାରର ପ୍ଲଟ ଲିଜରେ ଦେଇ ହୀରା ଖୋଳାଉଛନ୍ତି। ଏହି ଖନନରୁ ମିଳୁଥିବା ହୀରାକୁ ଚାଷୀ ଓ ଶ୍ରମିକମାନେ ଜିଲ୍ଲା ହୀରା ଅଧିକାରୀଙ୍କ ନିକଟରେ ଜମା କରିଥାନ୍ତି। ଯାହାକୁ ପରେ ନିଲାମ କରି ସେ ବାବଦ ଅର୍ଥ ସେହି ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥାଏ। ଏହି ହୀରା ଅଶୋଧିତ ଥାଏ। କଞ୍ଚା ହୀରା ନିଲାମରୁ ଯାହା ମିଳେ ଚାଷୀ ଓ ଶ୍ରମିକଙ୍କ ପାରିଶ୍ରମିକ ତୁଲି ଯାଏ।