ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବୀର ବରୁଣଙ୍କୁ ଅନ୍ତିମ ବିଦାୟ
ନୂଆଦିଲ୍ଲୀ: ଆଖିରେ ଲୁହ ଓ କୋହଭରା ଛାତିରେ ବୀର ପୁଅ କ୍ୟାପଟେନ ବରୁଣ ସିଂହଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଦେଶବାସୀ ଓ ପରିବାର । ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଏକମାତ୍ର ବୀର ପୁତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂହ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଆଜି ଭୋପାଳର ବରାଗଡ ମୁକ୍ତିଧାମରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ବିଲୀନ ହୋଇଛି କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ।
ବୀର ପୁଅ ବରୁଣଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ବାସଭବନରୁ ତାଙ୍କର ଶୋଭାଯାତ୍ରାରେ ବାହାରିଥିଲା । ଅନ୍ତିମ ଶୋଭାଯାତ୍ରା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ଜବ ତକ ସୁରଜ ଚାନ୍ଦ ରହେଗା ବରୁଣ ଜୀ କା ନାମ ରହେଗା ସ୍ଲୋଗାନରେ କମ୍ପି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ବରୁଣଙ୍କ ସାନ ଭାଇ ମୁଖାଗ୍ନୀ ଦେଇଛନ୍ତି । ବରୁଣଙ୍କ ଦେହାନ୍ତକୁ ଗ୍ରହଣ କରିପାରୁନି ପରିବାର ହେଲେ ବିଧିର ବିଧାନକୁ ସ୍ବୀକାର କରିବାକୁ ପଡିବ ।
ଗତକାଲି (ଗୁରୁବାର) ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିବା ହସ୍ପିଟାଲରୁ ତାଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ଆଜି ଭୋପାଳ ଅଣାଯାଇଥିଲା । ପାର୍ଥିବ ଶରୀର ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନା ଅଧିକାରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ବରୁଣଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ତାଙ୍କ ନାମରେ କୌଣସି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।
ସୂଚନା ଥାଉକି, ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର Mi-17 V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦେଶର ପ୍ରଥମ ସିଡିଏସ ତାଙ୍କ ପତ୍ନୀଙ୍କୁ ମିଶାଇ ୧୪ ଜଣ ଉପସ୍ଥିତ ଥିଲେ । ଦୁର୍ଘଟଣା ବହୁତ ଭୟଙ୍କର ଥିଲା । ୧୪ ଜଣରୁ ସମସ୍ତ ୧୩ ଜଣଙ୍କର ସେହି ଦିନ ହିଁ ଦେହାନ୍ତ ହୋଇଥିଲା । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂହ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଗୁରୁତର ଅବସ୍ଥାରେ ସେ ବେଙ୍ଗାଲୁରୁରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ଡାକ୍ତରୀ ଟିମ । ହେଲେ ବିଧିର ଲେଖା କିଛି ଅଲଗା ଥିଲା । ଦୁର୍ଘଟଣାର ଠିକ ୮ ଦିନ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ କ୍ୟାପଟେନ ବରୁଣ । ମାତ୍ର ୪୨ ବର୍ଷରେ ଦୁନିଆ ଛାଡି ଚାଲିଯାଇଛନ୍ତି କ୍ୟାପଟେନ ।