ବିଦାୟ ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ : ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ
ଭୁବନେଶ୍ୱର : ଓଡ଼ିଶାରୁ ବିଦାୟ ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏଥିସହ ଧୀରେଧୀରେ ଶୀତ ସ୍ପର୍ଶ କରୁଛି। ଏଭଳି ଏକ ସମୟରେ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ସୁଦୂର କାଜକ୍ସ୍ଥାନ, ସାଇବେରିଆ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଆଦି ବରଫାବୃତ୍ତ ଅଞ୍ଚଳରୁ ବିଦେଶୀ ପକ୍ଷୀ ଏବେଠାରୁ ନୀଳାମ୍ବୁ ଚିଲିକାରେ ପହଞ୍ଚିବା ଆରମ୍ଭ କଲେଣି। ଚିଲିକା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ଜଳାଶୟରେ ବି ବିଦେଶାଗତ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳିଲାଣି। ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ବିଦେଶାଗତ ପକ୍ଷୀମାନେ ଚିଲିକାକୁ ଆସୁଥିବା ବେଳେ ଏଥର ସାମାନ୍ୟ ବିଳମ୍ବରେ ଆସିଛନ୍ତି। ଚଳିତ ବର୍ଷ ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ଏକ ସପ୍ତାହ ବିଳମ୍ବରେ ଏହି ପକ୍ଷୀମାନେ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଚଳିତ ସପ୍ତାହରେ ସାରା ରାଜ୍ୟରେ ହାଲୁକା ଶୀତ ଆରମ୍ଭ ହୋଇଥିବାରୁ ଚିଲିକା ମଧ୍ୟରେ ଥିବା ପକ୍ଷୀଙ୍କ ଭୂସ୍ବର୍ଗ ‘ନଳବଣ’ରେ ଏବେ ବିଦେଶାଗତ ପକ୍ଷୀଙ୍କ କଳରବ ଶୁଭିଲାଣି। ଅଳ୍ପ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଆଗକୁ ଫ୍ଲେମିଙ୍ଗୋ, ଗଡ଼ୱାଲ, ଉଇଜନ, ପ୍ରିଣ୍ଟେଲ, ଶୋଭଲର ଆଦି ବିଦେଶାଗତ ପକ୍ଷୀଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ସୁରକ୍ଷା ଏବେ ବଡ଼ ଆହ୍ବାନ ପାଲଟିଛି। କାରଣ ବିଗତ କିଛି ବର୍ଷ ହେଲା ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ଶିକାର ବହୁ ପରିମାଣରେ ବଢ଼ିଛି। ତାହାକୁ ନଜରରେ ରଖି ଚିଲିକା, ଭିତରକନିକା, ହୀରାକୁଦ, ଅଂଶୁପା ଆଦି ସ୍ଥାନକୁ ପକ୍ଷୀଙ୍କ ଆଗମନ ହେବା କ୍ଷଣି ବନ ବିଭାଗ ସୁରକ୍ଷା ସ୍କ୍ବାଡ୍ ଗଠନ କରିବା ସହ ସ୍ବତନ୍ତ୍ର କ୍ୟାମ୍ପ୍ ପକାଇ ନଜର ରଖିଥାଏ। ମାତ୍ର ଏଥର ଏଯାଏ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ କୌଣସି ସମୀକ୍ଷା ବୈଠକ ବି କରି ନାହାନ୍ତି। ବିଭାଗୀୟ ଅଧିକାରୀମାନେ ମଧ୍ୟ ଚୁପ୍ ବସି ପଡ଼ିଛନ୍ତି। ଫଳରେ ପୂର୍ବବର୍ଷ ପରି ଏଥର ମଧ୍ୟ ପକ୍ଷୀ ଶିକାର ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ୨୦୧୯-୨୦ ତୁଳନାରେ ୨୦୨୦-୨୧ ବର୍ଷରେ ଚିଲିକା, ଭିତରକନିକା ଓ ହୀରାକୁଦକୁ ଅଧିକ ବିଦେଶାଗତ ପକ୍ଷୀ ଆସିଥିଲେ। ଚିଲିକାକୁ ସର୍ବାଧିକ ୧୨ଲକ୍ଷ ୪ହଜାର ପକ୍ଷୀ ଆସିଥିବା ବେଳେ ଭିତରକନିକାକୁ ୧ଲକ୍ଷ ୩୬ ହଜାର ଓ ହୀରାକୁଦକୁ ୧ ଲକ୍ଷ ୩ ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିଲା। ଚିଲିକା ହ୍ରଦକୁ ଦୁଇଟି ନୂଆ ପ୍ରଜାତିର ପକ୍ଷୀ ଯଥା ମାଲାର୍ଡ ଓ ଫାଲକାଟେଡ୍ ଟିଲ୍ ଆସିଥିବା ବେଳେ ହୀରାକୁଦ ଓ ଭିତରକନିକାକୁ କୌଣସି ନୂତନ ପ୍ରଜାତିର ପକ୍ଷୀ ଆସି ନ ଥିଲେ। ଗତ ଜାନୁଆରିର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ପକ୍ଷୀମାନଙ୍କ ସଂଖ୍ୟା ଆକଳନ କରାଯାଇଥିଲା। ଏଥର ନିର୍ଧାରିତ ସମୟର ଅଳ୍ପ ଦିନ ବିଳମ୍ବରେ ଶୀତ ପଡ଼ିଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।