କୋଲ୍ହାଣ ବିଶ୍ବବିଦ୍ୟାଳୟର ଶେଷବର୍ଷ ଓଡ଼ିଆ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ରାଇରଙ୍ଗପୁର : ଝାଡ଼ଖଣ୍ଡର ଚାଇଁବସାସ୍ଥିତ କୋହ୍ଲାଣ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ଅବସରରେ ଆୟୋଜିତ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ସରିତା ପ୍ରସାଦ, ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ହରିହର ପ୍ରଧାନ, ଓଡ଼ିଆ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ମନୋଜ କୁମାର ମହାପାତ୍ର ଏବଂ ଓଡ଼ିଆ ବିଭାଗର ଶିକ୍ଷା ସହାୟିକା ସୁଷମା ବାରିକ ପ୍ରମୁଖ ଯୋଗଦେଇ ଶେଷ ବର୍ଷର ବିଦାୟୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିବାନୀ ପ୍ରଧାନ, ମନୋରମା ପ୍ରଧାନ, ଅନସୂୟା ସେଠୀ ଓ ଅର୍ଚ୍ଚନା ବେହେରା ବିଦାୟ ସଂଗୀତ ଗାନ କରିଥିଲେ । ଶେଷବର୍ଷର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଅଭୁଲା ସ୍ମୃତି ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରଥମ ବର୍ଷର ଛାତ୍ର ବିକାଶ ନାୟକ, ରାଜ କୁମାର ମହାନ୍ତ ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ବଡ଼ ଭାଇ ଓ ଭଉଣୀ ମାନଙ୍କ ଅକୁଣ୍ଠ ସାହାଯ୍ଯ ସହଯୋଗ ଏବଂ ସ୍ନେହ ଶ୍ରଦ୍ଧା କଥାର ଅବତାରଣା କରି ଈଶ୍ୱରଙ୍କ ନିକଟରେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହିତ ବଡ଼ ଭାଇ ଓ ଭଉଣୀମାନଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଡକ୍ଟର ହରିହର ପ୍ରଧାନ, ସଭାର ସଫଳ ଆୟୋଜନ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।