ରାଜରାଜେଶ୍ଵରୀ ବେଶରେ ପୂଜା ପାଉଛନ୍ତି କାକଟପୁରର ମା’ ମଙ୍ଗଳା
କାକଟପୁରରେ ପ୍ରସିଦ୍ଧ ଝାମୁଯାତ୍ରା, ଶ୍ରଦ୍ଧାଳୁଙ୍କ ଭିଡ
କାକଟପୁର : ଆଜି ହେଉଛି ଚୈତ୍ର ମାସ ଅନ୍ତିମ ମଙ୍ଗଳବାରର ଶେଷ ଝାମୁ ପାଳି । କାକଟପୁରର ମା’ ମଙ୍ଗଳା ପୀଠରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ଝାମୁ ଯାତ୍ରା । ଆଦି ଶକ୍ତି ମା’ ମଙ୍ଗଳା ଆଜି ରାଜରାଜେଶ୍ଵରୀ ବେଶରେ ପୂଜା ପାଉଛନ୍ତି । ଦୂର ଦୂରାନ୍ତରୁ ଆଦି ଶକ୍ତି ମା’ ମଙ୍ଗଳାଙ୍କ ଦର୍ଶନ ନିମନ୍ତେ ଛୁଟି ଆସିଛନ୍ତି ଭକ୍ତ ।
ଚୈତ୍ର ମାସର ଶେଷ ମଙ୍ଗଳବାରରେ ଆଜି ମା’ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ ହେଉଛି । ଭକ୍ତମାନେ ଶାନ୍ତିଶୃଙ୍ଖଳା ସହିତ ମା’ଙ୍କ ଦର୍ଶନ କିପରି କରିପାରିବେ, ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭକ୍ତମାନେ ଧାଡିରେ ଯାଇ ମା’ଙ୍କ ଦର୍ଶନ କରି କରୁଣା ଲାଭ କରୁଛନ୍ତି । ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାରେ ଆଜି ରାତି ତିନିଘଡି ଥାଇ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ । ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଯାଏ। ଏବଂ ମାଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି। ଏହି ପଞ୍ଚମ ପାଳି ମଙ୍ଗଳବାର, ଯେଉଁଦିନ କି ମା’ଙ୍କର ମୂଖ୍ୟ ଭକ୍ତ ହଟ, ବଟ ଙ୍କ ଆରାଧନା ରେ ଦେବୀ ପ୍ରାଚୀ ଗର୍ଭ ରୁ ଉତ୍ଥିତା ହୋଇଥିଲେ, ମା’ ଙ୍କର ସର୍ବଶ୍ରେଷ୍ଠ ପର୍ବ “ଝାମୁଯାତ୍ରା” ଭାବରେ ପାଳନ କରାଯାଏ। କରୋନା ପାଇଁ ଦୀର୍ଘ ୨ବର୍ଷ ହେବ ଭକ୍ତ ଏବଂ ଭଗବାନ ମଧ୍ୟ୍ୟରେ ଶକ୍ତ ପାଚେରୀ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ କୋହଳ କଟକଣା ଭକ୍ତମାନଙ୍କ ଭିଡ ଜମିଛି ।