ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମହାଆଡ଼ମ୍ବରରେ ସରିଲା ରଥଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ଶୁକ୍ରବାର ଅଧର ପଣା ନୀତି ଅନୁଷ୍ଠିତ ପରେ ଭାଇଭଉଣୀଙ୍କ ସହ ମହାପ୍ରଭୁଙ୍କୁ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଜଗନ୍ନାଥ ମନ୍ଦିରର ରତ୍ନବେଦୀକୁ ନିଆଯାଇଥିଲା ।
ମାଉସୀ ମା’ଙ୍କ ଘରେ ନବଦିନାତ୍ମକ ଲୀଳା ଖେଳା ଶେଷ ହେବା ପରେ ବିଶ୍ୱବିଦ୍ୟାଳୟର ଅଧ୍ୟାପିକାଅଧ୍ୟାପକ, ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ଗହଣରେ ବାହୁଡ଼ିଥିଲେ ମହାପ୍ରଭୁ । ବୁଧବାର ଅପରାହ୍ନ ୪ଟା ସମୟରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଥିବା ଗୁଣ୍ଡିଚା ମନ୍ଦିରରେ ନୀତି କାନ୍ତି ଶେଷ ହେବା ପରେ ରଥ ଉପରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଛେରା ପହଁରା କରିସାରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ନୃତ୍ୟ, ଗୀତ, ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ବିଶ୍ୱବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା ଏବଂ ଚାରିଆଡ଼େ ଭକ୍ତ ଭଗବାନଙ୍କ ମିଳନରେ ଏକ ଭାବଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ରଥ ନିର୍ମାଣ କରିଥିବା କାରିଗରମାନଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମାନିତ କରିଥିଲେ ଏବଂ ସୁରୁଖୁରୁରେ ବାହୁଡ଼ା ଯାତ୍ରା ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗୁରୁବାର ସନ୍ଧ୍ୟା ୬ଟା ଠାରୁ ୮ଟା ପର୍ଯ୍ୟନ୍ତ ପବିତ୍ର ହରିଶୟନ ଏକାଦଶୀ ଉପଲକ୍ଷେ ସୁନାବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ବିଶ୍ୱବିଦ୍ୟାଳୟ ସାରା ଏହି ପବିତ୍ର ଯାତ୍ରାର ପ୍ରତିଟି ଭାବଭକ୍ତିମୟ ମୁହୂର୍ତ୍ତର ସାକ୍ଷୀ ପାଲଟିଥିଲା ଏବଂ ସମସ୍ତଙ୍କୁ ଭାବଭକ୍ତିମୟ ପରିବେଶରେ ବାନ୍ଧି ରଖିଥିଲା ।