ଏଫଏମୟୁ ଯୁକ୍ତ୩ ଶେଷବର୍ଷର ପରୀକ୍ଷା ଫଳ ପ୍ରକାଶିତ: ପାସ୍ ହାର ୮୧.୧୫%, ଶୀର୍ଷରେ ଛାତ୍ରୀ
ବାଲେଶ୍ୱର,୨୮ ।୫(ମାନସ ବିଶ୍ୱାଳ)- ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ)ର ଅଧୀନସ୍ଥ ସମସ୍ତ ମହାବିଦ୍ୟାଳୟଗୁଡ଼ିକର ଚଳିତ ବର୍ଷ ଯୁକ୍ତ୩ ଷଷ୍ଠ ସେମିଷ୍ଟାର ତଥା ଶେଷବର୍ଷର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଯାଇଛି । ପୂର୍ବ ସୂଚନା ଅନୂଯାୟୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ତଥା ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ଓ ବିତ୍ତ ନିୟନ୍ତ୍ରକ କରନ ସୋରେନଙ୍କ ଉପସ୍ଥିତିରେ ଫଳାଫଳ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା । ଏଥିସହ www.orissaresults.nic.inରେ ଫଳାଫଳ ଉପଲବ୍ଧ କରାଯାଇଥିଲା ।
ଚଳିତ ବର୍ଷ ପାସ୍ ହାର ୮୧.୧୫% ରହିଛି । ଏଥିରେ ସମୁଦାୟ ୧୨,୫୬୬ ଛାତ୍ରଛାତ୍ରୀ (ପାସ୍ ଓ ସମ୍ମାନ) ପରୀକ୍ଷା ଦେଇଥିବା ବେଳେ ୧୦,୦୬୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହାସଲ କରିଛନ୍ତି । କଳା ପାଠ୍ୟକ୍ରମରେ ସର୍ବୋଚ୍ଚ ୮୭.୦୭, ବିଜ୍ଞାନରେ ୬୮.୩୪ ଓ ବାଣିଜ୍ୟରେ ୮୧.୧୫% ରହିଛି । ଏଥିସହିତ ଶୀର୍ଷସ୍ଥାନ ତାଲିକାରେ ଛାତ୍ରୀମାନଙ୍କ ପ୍ରଦର୍ଶନ ଉଚ୍ଚ ମାନର ରହିଛି । କୁଳପତି ଫଳାଫଳର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ଆଶୀର୍ବାଦ ପ୍ରଦାନ କରିଥିଲେ ।