କୋଭିଡ୍ ହେଲ୍ପଲାଇନ୍ ନମ୍ବର ୧୦୪କୁ ଆସୁଛି ଫେକ୍ କଲ୍
ଭୁବନେଶ୍ୱର : କୋଭିଡ୍ ପାଇଁ ଖୋଲିଥିବା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୦୪କୁ ଆସୁଛି ଫେକ୍ କଲ୍ । ଏନେଇ ୧୦୪ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଛି । କଲ୍ ସେଂଟରର ମହିଳା କର୍ମଚାରୀ ଓ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏନେଇ ୧୦୪ ହେଲ୍ପଲାଇନ୍ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତଜା ହେଲଥ୍ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ରହିଛି । ଏଥିମଧ୍ୟରୁ ଗୋଟିଏ ନମ୍ବରରୁ ୪୯୨ ଥର, ଅନ୍ୟ ଏକ ନମ୍ବରରୁ ୨୦୧ ଥର କଲ ଆସିଥିବା ଉଲ୍ଲେଖ ରହିଛି । ଦଶଟି ନମ୍ବରରୁ ୧୦୦ରୁ ଅଧିକ ଥର କଲ ଆସିଥିବା ଅଭିଯୋରେ ଲେଖାଯାଇଛି । ୨୦୨୧ ଜାନୁଆରୀରୁ ମେ’ ମାସ ମଧ୍ୟରେ ଏହି ସବୁ କଲ ଆସିଛି ।
ପୂର୍ବରୁ ମଧ୍ୟ ଏଭଳି ଫେକ୍ କଲ୍ ଆସିଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲା। ସେପଟେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ୧୦୪ ହେଲ୍ପଲାଇନ୍ ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି-“୧୦୪ ଓ ୧୦୮ ହେଉଛି ରାଜ୍ୟ ସରକାରଙ୍କ ସିଙ୍ଗଲ୍ ହେଲପ୍ ଲାଇନ୍ ନମ୍ୱର। ସ୍ୱାସ୍ଥ୍ୟ ସମ୍ୱଧିୟ ଯେ କୌଣସି ସମସ୍ୟା ନେଇ ଏଠାକୁ ଫୋନ୍ ଆସିଥାଏ। ପ୍ରତିଦିନ ୩୦ରୁ ୩୫ ହଜାର କଲ ରିସିଭ୍ କରୁଛୁ। ସେଥିରୁ ୩୦୦ରୁ ସାଢ଼େ ୩୦୦ ଅଶ୍ଲିଳ ଭାଷାର କଲ୍ ଆସୁଛି। ଯାହା ମନୋବଳ ଭାଙ୍ଗି ଦେଉଛି। ଏହାଦ୍ୱାରା ଉଚିତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଯେଉଁମାନେ ବାରମ୍ୱାର ଫୋନ୍ କରୁଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରୁଛୁ।”