ଫାଫ ଡୁପ୍ଲେସିସ୍ ଆରସିବିର ନୂତନ ଅଧିନାୟକ
ବେଙ୍ଗାଲୁରୁ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୨୦୨୨ ସିଜିନ ପାଇଁ ନିଜର ଅଧିନାୟକ ଘୋଷଣା କରିଛି । ଆରସିବି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦେଇଛି । ଚଳିତ ସିଜିନରୁ ଡୁପ୍ଲେସିସ୍ ଦଳର ଦାୟିତ୍ୱ ସମ୍ଭାଳିବେ । ଏହା ପୂର୍ବରୁ ଫାଫ ଡୁପ୍ଲେସିସ୍ ଆଇପିଏଲରେ କେବେ ବି କୌଣସି ଦଳର ଅଧିନାୟକ ଭାର ସମ୍ଭାଳି ନାହାନ୍ତି । ନିକଟରେ ସଂପନ୍ନ ମେଗା ନିଲାମରେ ତାଙ୍କୁ ଆରସିବି ୭ କୋଟି ଟଙ୍କାରେ କିଣିଥିଲା ।
ଏ ପର୍ଯ୍ୟନ୍ତ ୬ ଅଧିନାୟକ ଆରସିବିର ନେତୃତ୍ୱ ନେଇ ସାରିଛନ୍ତି । ଏଥିରେ ତିନି ଭାରତୀୟ ଏବଂ ତିନି ବିଦେଶୀ ଖେଳାଳି ସାମିଲ୍ । ୨୦୦୮ରେ ରାହୁଲ ଦ୍ରାବିଡ ଆରସିବିର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ପରବର୍ତୀ ସଂସ୍କରଣରେ କେଭିନ ପିଟରସନଙ୍କୁ ଅଧିନାୟକ କରାଯାଇଥିଲା । ପୁଣି ସେହି ସିଜିନରେ ଅନିଲ କୁମ୍ବଲେ ଦଳର ନେତୃତ୍ୱ ନେଇଥିଲେ । ଏହା ପରେ ଡାନିଏଲ ଭିଟୋରୀ ଦୀର୍ଘ ସମୟ ଦଳର ଅଧିନାୟକ ଥିଲେ । ୨୦୧୩ରୁ ବିରାଟ କୋହଲି ଆରସିବିର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ମଧ୍ୟରେ ୨୦୧୭ରେ ସେନ ୱାଟସନ ତିନୋଟି ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ । ଏହି ପରି ଆରସିବିକୁ ୬ ଜଣ ଅଧିନାୟକ ନେତୃତ୍ୱ ନେଇ ସାରିଛନ୍ତି । ଏହି କ୍ରମରେ ଫାଫ ଡୁପ୍ଲେସିସ୍ ସପ୍ତମ ଅଧିନାୟକ । ଆରସିବି ପାଇଁ ଏହା ଆଇପିଏଲର ୧୫ମ ସିଜିନ । ମାତ୍ର ଏ ପର୍ଯ୍ୟନ୍ତ ଦଳ ଗୋଟିଏ ହେଲେ ଟାଇଟଲ୍ ଜିତି ପାରି ନାହିଁ । ଏବେ ଦେଖିବା ବାକି ରହିଲା ଯେ କଣ ଡୁପ୍ଲେସିସ୍ ଦଳକୁ ପ୍ରଥମ ଟ୍ରଫି ଜିତାଇବାରେ ସଫଳ ହେବେ । ଆରସିବି ଅଦ୍ୟାବଧି ତିନି ଥର ଫାଇନାଲ୍ ଖେଳିଛି । ହେଲେ ଥରୁଟିଏ ବି ଚାମ୍ପିଅନ ହୋଇ ପାରି ନାହିଁ । ଦଳ ୨୦୦୯, ୨୦୧୧ ଏବଂ ୨୦୧୬ରେ ଫାଇନାଲ୍ ଖେଳି କ୍ରମଶଃ ଡେକାନ ଚାର୍ଜସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାଜିତ ହୋଇଥିଲା ।