ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ ! କ୍ଷୀର ଲିଟର ପିଛା ଦର ୨ହଜାର, ଚାଉଳ କିଲୋ ୫ଶହ ଟଙ୍କା
ନୂଆଦିଲ୍ଲୀ : ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା । ଶ୍ରୀଲଙ୍କାରେ ମହଙ୍ଗା ଦର ୧୭.୫ପ୍ରତିଶତ ବଢି ସାରିଲାଣି । ଯାହା ଏସିଆ ମହାଦେଶର ଦେଶଗୁଡିକରେ ସବୁଠାରୁ ଅଧିକ । ଦେଶରେ କ୍ଷୀର ଲିଟର ପିଛା ୧,୯୮୦ ଶ୍ରୀଲଙ୍କା ମୁଦ୍ରା ହୋଇଥିବାବେଳେ, ଚାଉଳ କିଲୋ ପିଛା ୫୦୦ ଶ୍ରୀଲଙ୍କା ମୁଦ୍ରା ଏବଂ ଚିନି କିଲୋ ପିଛା ୨୯୦ ଶ୍ରୀଲଙ୍କା ମୁଦ୍ରା ହୋଇ ସାରିଲାଣି । ଦେଶରେ ୫ଲକ୍ଷରୁ ଅଧିକ ଲୋକେ ଦାରିଦ୍ର୍ୟତା ପାଇଁ ହନ୍ତସନ୍ତ ହେଉଛନ୍ତି । ସେପଟେ ଦେଶ ଚଳାଇବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟାବଶ୍ୟକିୟ ସାମଗ୍ରୀ ମଧ୍ୟ ନାଗରିକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର । ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍ନା କରୁଛି ରାଷ୍ଟ୍ର ।
ଉତ୍କଟ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ ଆର୍ଥିକ ସମସ୍ୟା ଏତେ ଖରାପ ହୋଇ ଯାଇଛି ଯେ, ଯାହା ଶ୍ରୀଲଙ୍କା ଇତିହାସରେ ବି ଦେଖିବାକୁ ମିଳି ନାହିଁ । ଆକଶଛୁଆଁ ଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ପାଇଁ ଗରିବ ଓ ମଧ୍ୟବିତଙ୍କ ଅବସ୍ଥା ଅତି ଦୟନୀୟ ହୋଇ ପଡିଛି । ସେପଟେ ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ, ଜାଳେନି ତେଲ ନେବା ପାଇଁ ଘଂଟା ଘଟା ଧରି ଲାଇନ୍ରେ ଛିଡା ହେବାକୁ ପଡୁଛି । ଏଭଳି ସଂକଟ ସମୟରେ ଭାରତ ଲଗାତାର ଭାବେ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛି । ଏହି ଭିତରେ ଭାରତ ବୈଦେଶିକ ମନ୍ତ୍ରୀ ଶ୍ରୀଲଙ୍କାକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏବେ ଶ୍ରୀଲଙ୍କା ଗସ୍ତରେ ଅଛି । ସଂକଟରେ ଥିବା ଶ୍ରୀଲଙ୍କାରେ ଭିତିଭୂମି ସ୍ଥାପନ କରିବା ଲକ୍ଷ୍ୟନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଭେଟିଛନ୍ତି । ଏହି ସମୟରେ ଶ୍ରୀଲଙ୍କାକୁ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏସ ଜୟଶଙ୍କର । ବେରୋଜଗାରି ଓ ଆର୍ଥିକ ସଂକଟ ଭିତରେ ହନ୍ତସନ୍ତ ହେଉଛନ୍ତି ଶ୍ରୀଲଙ୍କା ନାଗରିକ । ପାଖରେ ନା ଅଛି କାମ ଧନ୍ଦା ନା ଅର୍ଥ । ଜୀବନ ଜିବିକା ନିର୍ବାହ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ବେଆଇନ୍ ଭାବେ ଭାରତକୁ ଚାଲି ଆସିବାକୁ ପ୍ରୟାସ କରିବାକୁ ଚେଷ୍ଟା କରୁଛନ୍ତି । ସମୁଦ୍ର ପଥ ଦେଇ ତାମିଲନାଡୁରେ ପ୍ରବେଶ କରିବାକୁ କରୁଛନ୍ତି ଉଦ୍ୟମ । ୮୦ ଦଶକରେ ଶ୍ରୀଲଙ୍କାରେ ଦେଖାଦେଇଥିବା ଗୃହ ଯୁଦ୍ଧ ସମୟରେ ବି ହଜାର ହଜାର ସଂଖ୍ୟାରେ ଶରଣାର୍ଥୀ ଶ୍ରଲଙ୍କା ଛାଡି ଭାରତ ଚାଲି ଆସିଥିଲେ । ଏଭଳି ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି ଭାରତ । ଗତ ଜାନୁଆରୀ ମାସରେ ଶ୍ରୀଲଙ୍କାକୁ ୪୦ କୋଟି ଡଲାରର ସହାୟତା ଯୋଗାଇଥିଲା। ସେହିପରି ଫେବ୍ରୁଆରୀ ମାସରେ ପେଟ୍ରୋଲିଅମ୍ ସାମଗ୍ରୀ କିଣିବା ପାଇଁ ୫୦ କୋଟି ଡଲାରର ଆର୍ଥିକ ସହାୟତା ଏବଂ ଚଳିତ ମାସରେ ବି ୧ହଜାର କୋଟି ଅତିରିକ୍ତ ସହାୟତା ପାଇଁ ମଂଜୁରୀ ଦେଇଛି ।