ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍ ନୁହେଁ, ଏହା ଆରିଥ୍ମିଆ ହୋଇପାରେ : ଏମ୍ସ ବିଶେଷଜ୍ଞ
ଭୁବନେଶ୍ୱର : ଯଦି ଆପଣଙ୍କର ଶିଶୁ ଘଂଟା ଘଂଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି । ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି । କିନ୍ତୁ ଏହା ବିପଦଜନକ ଆରିଥମିଆ ହୋଇପାରେ, ଯାହା ଶିଶୁମାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ । ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପ ସହାୟତାରେ ପରୀକ୍ଷା କରାଯିବା ସହିତ ହୃଦ୍ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ ବୋଲି ଏମ୍ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପଙ୍କଜ ମହାନ୍ତି ପ୍ରକାଶ କରିଛନ୍ତି । ଏମ୍ସ ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିରେ ଆରଥ୍ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାର ଚିକିତ୍ସା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଡ. ମହାନ୍ତି ।
ପ୍ରାୟ ୩ ଦିନ ହେବ ଲଗାତର କାନ୍ଦିବା ସହିତ କିଛି ଖାଉନଥିବା ଜଣେ ୨୫ ଦିନର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ପିତାମାତା ମଙ୍ଗଳବାର ରାତିରେ ଏମ୍ସ ଭୁବନେଶ୍ୱରକୁ ଆଣିଥିଲେ । ହସ୍ପିଟାଲ ଆଣିବା ସମୟରେ ଶିଶୁକନ୍ୟାଜଣଙ୍କ ଗୁରୁତର ଅବସ୍ଥାରେ ଥିଲେ । ଏମ୍ସ ଭୁବନେଶ୍ୱରକୁ ଆସିବା ପୂର୍ବରୁ ଶିଶୁର କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା । ତେବେ ଏଠାକୁ ଆସିବାରେ ପରେ ନବଜାତ ଶିଶୁ ବିଭାଗର ଡ. ମହାନ୍ତିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ସମୟରେ ଶିଶୁର ହୃଦ୍ସ୍ପନ୍ଦନ (ହାର୍ଟ ରେଟ୍) ୩ଶହ ବିପିଏମ୍ରୁ ଅଧିକ ଥିବା ଜଣାପଡ଼ିଥିଲା । ସାଧାରଣତଃ ଶିଶୁ ମାନଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍ ରହିଥାଏ । ଏନେଇ ଶିଶୁ କନ୍ୟାଙ୍କର ତୁରନ୍ତ ଇସିଜି କରାଯାଇଥିଲା । ଏଥିରେ ଅନୁପସ୍ଥିତ ପି ତରଙ୍ଗ(ପି ୱେଭ୍) ଏବଂ ହୃଦ୍ସ୍ପନ୍ଦନ ୨୮୮ ଏସ୍/ ଓପିଏସ୍ ଭିଟି ପ୍ରକାଶ ପାଇଥିଲା । ଶିଶୁକୁ ତୁରନ୍ତ ଏନ୍ଆଇସିୟୁକୁ ନିଆଯାଇଥିଲା । ଏଥିସହିତ ଅତ୍ୟନ୍ତ ସନ୍ତର୍ପଣର ସହିତ ଦୁଇ ଡୋଜ୍ ଆଡେନୋସାଇନ୍ ପ୍ରଦାନ କରାଯାଇଥିଲା । କିନ୍ତୁ ହୃଦ୍ସ୍ପନ୍ଦନକୁ ସଠିକ୍ ସ୍ଥିତିକୁ ଫେରାଇଆଣିବାରେ ଏହା ସକ୍ଷମ ହୋଇନଥିଲା । ପରେ ଆମିଓଡାରୋନ୍ ପ୍ରଦାନ କରାଯାଇଥିଲା ଯାହାଫଳରେ ହୃଦ୍ସ୍ପନ୍ଦନ ୨୭୦କୁ ତଳକୁ ଖସିଥିଲା । ମାତ୍ର ଇସିଜିରେ ପିଏସ୍ ଭିଟି ଥିବା ଜଣାପଡ଼ିଥିଲା । ଯାହାଫଳରେ ଶିଶୁକୁ ଶକ୍ ଦିଆଯାଇଥିଲା । ଏହା ଫଳପ୍ରଦ ହୋଇଥିଲା । ହୃଦ୍ସ୍ପନ୍ଦନ ସାଧାରଣ ଅବସ୍ଥାକୁ ଫେରିଥିଲା । ମାତ୍ର ଏହା ପରେ ଶିଶୁକୁ ଆହୁରି ଅଧିକ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଇଥିଲା । ୨୪ ଘଂଟା ପରେ ଶିଶୁ ସ୍ୱାଭାବିକ ହେବା ସହିତ ଉତ୍ତମ ଅବସ୍ଥାକୁ ଫେରିଥିଲା । ଉନ୍ନତ ଚିକିତ୍ସା ଫଳରେ ଶିଶୁଟି ସ୍ତନ୍ୟପାନ ମଧ୍ୟ କରିଥିଲା । ପ୍ରାୟ ୩ ଦିନ ହେବ କିଛି ଖାଉନଥିବା ଶିଶୁକନ୍ୟା ଏନ୍ଆଇସିୟୁରୁ ବାହାରି ଖାଇବା ସହିତ ସାଧାରଣ ବ୍ୟବହାର କରିଥିଲା । ଏମ୍ସ ହୃଦ୍ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ରାମଚନ୍ଦ୍ର ବାରିକ୍ ଶିଶୁର ଇକୋକାର୍ଡିଓଲୋଜି କରିବାରେ ସହଯୋଗ କରିବା ସହିତ ସ୍ଥିତି ଉପରେ ନଜର ରଖିଥିଲେ । ସେହିପରି ଡିଏମ୍ ରେସିଡେଂଟ ଡ. ପୂର୍ବାଶା ପ୍ରଥମେ ଶିଶୁ କନ୍ୟାକୁ ଦେଖିବା ସହିତ ବରିଷ୍ଠ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲେ । ଜୁନିୟର ରେସିଡେଂଟ ଡ. ହେମନ୍ତଙ୍କ ସହିତ ନବଜାତ ଶିଶୁ ବିଭାଗର ଏକାଧିକ କର୍ମଚାରୀ ଏହି ଚିକିତ୍ସା ଦଳରେ ସାମିଲ ଅଛନ୍ତି ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପ୍ରକାରର ମାମଲା ପ୍ରାୟତଃ ଘଟିଥାଏ । ମାତ୍ର ସଚେତନତାର ଅଭାବ କାରଣରୁ ଅଭିଭାବକମାନେ ଏହାକୁ ଅଣଦେଖା କରିଥାଆନ୍ତି । ଏପରିକି ଚିକିତ୍ସା ସମୟରେ ମଧ୍ୟ ଆରଥ୍ମିଆକୁ ଦୃଷ୍ଟିକୁ ନିଆଯାଇନଥାଏ । ଯାହାଫଳରେ ଶିଶୁମାନଙ୍କ ମଧ୍ୟରେ ହୃଦୟ ଓ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇ ବିପଦ ଆଣିଥାଏ । ଏନେଇ ସମସ୍ତେ ସଚେତନ ହେବା ଉଚିତ୍ । ପ୍ରତ୍ୟେକ ଶିଶୁ ଅତ୍ୟଧିକ କାନ୍ଦିବା କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ରୋଗ ନୁହେଁ । ଏହା ଆରିଥମିଆ ହୋଇପାରେ, ଯଦି ଠିକ୍ ସମୟରେ ନିରାକରଣ ନହୁଏ ତେବେ ଏହା ସାଂଘାତିକ ହୋଇପାରେ ବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି । ଏମ୍ସ ଭୁବନେଶ୍ୱରରେ ଚିକିତ୍ସା ପରେ ଶିଶୁ କନ୍ୟାଜଣଙ୍କ ବର୍ତମାନ ସୁସ୍ଥ ଥିବା ସହିତ ମା’ କ୍ଷୀର ଖାଉଥିବା ଶିଶୁକନ୍ୟାଙ୍କ ପିତାମାତା ପ୍ରକାଶ କରିଛନ୍ତି । ଏହି ବିଷୟକୁ ନେଇ ଇଲେକ୍ଟ୍ରୋଫାଇଜୋଲୋଜି ଅଧ୍ୟୟନ କରାଯିବାକୁ ଯୋଜନା କରାଯାଇଛି । ଆବଶ୍ୟକ ପଡ଼ିଲେ ରେଡିଓ ଫ୍ରିକ୍ୱେନ୍ସି ଆବ୍ଲେସନ୍ ମଧ୍ୟ କରାଯିବ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।