ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟର ମିଳିଲା ପ୍ରମାଣ! ସିବିଆଇରେ ଏତଲା
ଭୁବନେଶ୍ୱର : ପୁଣି ମୁଣ୍ଡ ଟେକିଲା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ବିବାଦ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଲୁଟ ହୋଇଥିବା ଅଭିଯୋଗରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଏତଲା ଦିଆଯାଇଛି। ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହି ଏତଲା ଦାଏର ହୋଇଛି।
ଆଇନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବା କଥା। କିନ୍ତୁ ୧୯୭୮ ମସିହା ପର ଠାରୁ ୪୪ ବର୍ଷ ହେଲା ରତ୍ନଭଣ୍ଡାର ଯାଞ୍ଚ ହୋଇନଥିବା ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଅଭିଯୋଗ ହୋଇଛି। ଏମିତିକି ରତ୍ନଭଣ୍ଡାର ଚାବି ଓ ଯାଞ୍ଚ ନେଇ ବିଧାନସଭାରେ ମନ୍ତ୍ରୀ, ତତ୍କାଳୀନ ଜିଲ୍ଲାପାଳ, ଟ୍ରେଜେରୀ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି। ଏପରିକି ଟ୍ରେଜେରୀ ପାଖରେ କୌଣସି ଚାବି ନଥିବା ଆଇଟିଆଇରେ ମଧ୍ୟ କୁହାଯାଇଛି ।
୨୦୦୯ ମସିହା ଫେବୃଆରୀ ୧୪ ତାରିଖ ରାତି ସାଢ଼େ ଗୋଟାଏ ବେଳେ ଶ୍ରୀମନ୍ଦିର ପ୍ରଶାସକ ଓ ପୋଲିସ ସମେତ ୧୦ ଜଣଙ୍କ ଉପସ୍ଥିତିରେ ଭୁବନେଶ୍ୱରକୁ ମରାମତି ପାଇଁ ଯାଉଥିବା ବାହାନାରେ ରତ୍ନଭଣ୍ଡାର ଲୁଟ କରାଯାଇଥିବା ନେଇ ସ୍ୱଚକ୍ଷୁରେ ଦେଖିଛି ଏବଂ ତଦନ୍ତ ହେଲେ ପ୍ରମାଣ ଦେବି ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ସେନା ପକ୍ଷରୁ ସିବିଆଇ ନିକଟରେ ଏଫଆଇଆର ଦିଆଯାଇଛି। ସିବିଆଇ କିଛି ନ କଲେ ଆଗକୁ ସେନା ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।