ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ : ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ
ଭୁବନେଶ୍ୱର : ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପରେ ଅଶାନ୍ତ ହୋଇଉଠିଛି ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଛନ୍ତି ବିରୋଧୀ । ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା କରିଛନ୍ତି ବିରୋଧୀ । ଫଳରେ ଅହରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ ଥିଲା । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା । କିନ୍ତୁ ବିରୋଧି କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ହୋ ହଲ୍ଲା ଓ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା । ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲିଯାଇଥିଲେ ଉଭୟ କଂଗ୍ରେସ ଓ ବିଜେପିର ବିଧାୟକ । ତେଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି । ଅପରପକ୍ଷରେ ଗୃହରେ ଘଣ୍ଟ ବାଡେଇ ବିଜେପି ପ୍ରତିବାଦ କରିଥିବା ବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗ ନେଇ ବିଜେଡି ମଧ୍ୟ ପ୍ରତିବାଦ କରିଛି । ବିରୋଧୀଙ୍କ ଉପରକୁ ବିଜେଡି ଗଙ୍ଗା ଜଳ ପକାଇଛି । ଗୃହର ମଧ୍ୟଭାଗରେ ତିନି ଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରଖାଯାଇଛି । ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଛନ୍ତି ।
ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ବିରୋଧୀ କିନ୍ତୁ ଗୃହ ଚଳାଇବା ସପକ୍ଷରେ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସରକାର ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ବିରୋଧିଙ୍କ ଏଭଳି ହୀନ ରାଜନୈତିକ ଉଦ୍ଦେଶ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ତେଣୁ ମୋଟ ୬ ଦିନ ହେବ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ସ୍ୱତେ ମଧ୍ୟ ଘଣ୍ଟାଏ ଚାଲିପାରିନି ଗୃହ । ଏନେଇ ଗତ ସୋମବାର ସର୍ବଦଳୀୟ ବୈଠକ ବସିଥିଲା । କିନ୍ତୁ ତାହା ସଫଳ ହୋଇନାହିଁ । ଏପରି ସ୍ଥିତିରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନାହିଁ । ବିରୋଧି କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୀନ ଉଦ୍ୟମକୁ ଅନ୍ୟପଟେ ବିଜେଡି ଦଳର ନେତୃତ୍ୱ ନିନ୍ଦା ପ୍ରକତଟ କରିଛନ୍ତି ।