ଏଣିକି ମୃତକଙ୍କ ଏଟିଏମରୁ ପରିବାର ଲୋକେ ବି ଉଠାଇପାରିବେନି ଟଙ୍କା
ନୂଆଦିଲ୍ଲୀ : ଡିଜଟାଲ ଜୁଗରେ ଟଙ୍କା ନେଣ ଦେଣ ଅତି ସହଜ ହୋଇଗଲାଣି । ଟଙ୍କା ଦରକାର ପଡିଲେ ପୂର୍ବଭଳି ବ୍ୟାଙ୍କକୁ ଯାଇ ଲାଇନରେ ଛିଡା ହୋଇ ଟଙ୍କା ଉଠାଇବାକୁ ପଡୁନାହିଁ । ଏଟିଏମ୍ ମାଧ୍ୟମରେ କିମ୍ବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟଙ୍କା ନେଣ ଦେଣ ଅତି ସହଜରେ ହୋଇପାରୁଛି । ଏଭଳି ପରିସ୍ଥିତିରେ ଟଙ୍କା ଠକେଇ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ।
ଏପରି ଦେଖାଯାଇଛି କି, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଆକାଉଣ୍ଟରୁ ଏଟିଏମ୍ ଜରିଆରେ ଟଙ୍କା ଉଠାଇ ନେଇଥାନ୍ତି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହା ସମ୍ପୁର୍ଣ୍ଣ ବେଆଇନ୍ ଅଟେ । ନୋମିନି ଚାହିଁଲେବି ବ୍ୟାଙ୍କର ବିନା ପରାମର୍ଶରେ ଟଙ୍କା ଉଠାଇପାରିବେ ନାହିଁ । ଏପରିକରୁଥିବା ବ୍ୟକ୍ତି ଧରାପଡିଲେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇପାରେ । ଆଇନ୍ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ବେଆଇନ୍ ଅଟେ । ଯେପର୍ୟ୍ୟନ୍ତ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ସମସ୍ତ ସମ୍ପତି ନିଜ ନାଁକୁ ଟ୍ରାନ୍ସଫର କରିନେଇନାହାନ୍ତି, ସେପର୍ୟ୍ୟନ୍ତ ଆପଣ ମୃତ ବ୍ୟକ୍ତିଙ୍କ ଟଙ୍କାକୁ ଉଠାଇପାରିବେ ନାହିଁ । ଏପରି କରିବା ପୂର୍ବରୁ ଆପଣଙ୍କୁ ସର୍ବପ୍ରଥମେ ଖାତା ଧାରକଙ୍କ ମୃତ୍ୟୁ ହୋଇଥିବା ଘଟଣା ବ୍ୟାଙ୍କକୁ ସୂଚନା ଦେବାକୁ ପଡିବ । ଏହା ପରେ ନୋମିନି ତାଙ୍କର ସମସ୍ତ ବ୍ୟାଙ୍କ ପ୍ରକ୍ରିୟା ପୂରା କରି ଟଙ୍କା ଉଠାଇପାରିବେ । ଯେପରିକି, ପ୍ରଥମେ ବ୍ୟାଙ୍କରେ ନୋମିନି ମୃତ ବ୍ୟକ୍ତିଙ୍କ ଟଙ୍କା ଉପରେ ଏକ କ୍ଲେମ୍ କରିବାକୁ ପଡିବ, ଏଥିପାଇଁ ଏକ ଫର୍ମ ଫିଲପ କରିବାକୁ ପଡିବ । ଏହା ସହିତ ମୃତ ବ୍ୟକ୍ତିଙ୍କ ପାସବୁକ୍, ଆକାଉଣ୍ଟର ଟିଡିଆର୍, ଏଟିଏମ୍, ଚେକ୍ ବୁକ୍, ମୃତକଙ୍କ ଡେଥ ସାର୍ଟିଫିକେଟ୍ ଏବଂ ନୋମିନି ଥିବା ବ୍ୟକ୍ତିଙ୍କ ଆଧାରକାର୍ଡ, ପ୍ୟାନ୍ କାର୍ଡ ଭଳି କିଛି ଜରୁରୀ ଦସ୍ତାବିଜ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ପଡିବ । ଏହାପରେ ଖାତାରେ ଥିବା ସମସ୍ତ ଟଙ୍କା ବ୍ୟାଙ୍କ ନୋମିନିଙ୍କୁ ପ୍ରଦାନ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥାଏ । ଯଦି ସେହି ଆକାଉଣ୍ଟରେ ଏକାଧିକ ନୋମିନି ରହିଥାନ୍ତି ତେବେ ସମସ୍ତଙ୍କ ସହମତି ଜରୁରୀ ଅଟେ ।