୬ମାସ ପାଇଁ ଏସମା ଲାଗୁ, କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ
ଭୁବନେଶ୍ୱର : ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରାଯିବା ଖବର ସାମ୍ନାକୁ ଆସିଛି । ଆଗାମୀ ୬ ମାସ ପାଇଁ ଏସମା ଲାଗୁ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ ପାରାମେଡିକାଲ, ଟେକ୍ନିସିଆନ୍ଙ୍କ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ଏହି ନିୟମ । ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା।
ସୂଚନା ଯେ, ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି । ଏହା ସ୍ୱାସ୍ଥ୍ୟ ସେବାକୁ ପ୍ରଭାବିତ କରିବ । ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଗୁଆ କଠୋର ହୋଇଛନ୍ତି ସରକାର । ଲାଗୁ କରିଛନ୍ତି ଏସ୍ମା (ଓଡ଼ିଶା ଜରୁରୀ ସେବା ମେଣ୍ଟେନାନ୍ସ ଆକ୍ଟ) । ଆଗାମୀ ୬ ମାସ ଯାଏ ସ୍ୱାସ୍ଥ୍ୟ ସେବା ସହ ସମ୍ବନ୍ଧୀୟ କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ସରକାରୀ ହସ୍ପିଟାଲ, ଡିସପେନସାରୀ, ଜିଲା ମୁଖ୍ୟାଳୟ ହସ୍ପିଟାଲ, ଉପଖଣ୍ଡ ହସ୍ପିଟାଲ, ସିଏଚ୍ସି, ପିଏଚ୍ସି, ପୌର ହସ୍ପିଟାଲ, ଇଏସଆଇ ହସ୍ପିଟାଲ, ମେଡିକାଲ କଲେଜ ଓ ହସ୍ପିଟାଲ, ସରକାରୀ ପରିଚାଳିତ ସ୍ୱୟଂଶାସିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ସରକାରଙ୍କଠାରୁ ଅନୁଦାନ ପାଉଥିବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଏଏଚ୍ଆରସିସି, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ ହସ୍ପିଟାଲ, ପୁଲିସ ହସ୍ପିଟାଲରେ କାମ କରୁଥିବା ସମସ୍ତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍, ଅନ୍ୟ କ୍ଲାସ୍-୩ ଓ କ୍ଲାସ୍-୪ କର୍ମଚାରୀ, ଠିକା କର୍ମଚାରୀ, ସ୍ୱାସ୍ଥ୍ୟ ସେବା ପରିଚାଳନା ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କ ପାଇଁ ଏସ୍ମା ଲାଗୁ ହେବ । କେହି ବି ସ୍ୱାସ୍ଥ୍ୟ ସେବାରେ ବାଧା ଦେବା ଭଳି କାମ କରିବେନି ବା ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ନିଜ କାମ ବନ୍ଦ କରି ପାରିବେନି । ସ୍ୱାସ୍ଥ୍ୟସେବା ଯେଭଳି ବ୍ୟାହତ ନ ହେବ ଓ ରୋଗୀ ଚିକିତ୍ସାରେ ସମସ୍ୟା ନ ହେବ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୬ ମାସ ପାଇଁ ଏସ୍ମା ବଳବତ୍ତର ରହିବ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।