ବାଲେଶ୍ୱରରେ ଖୋଲିବ ଇଏସ୍ଆଇସି ଚିକିତ୍ସାଳୟ, ମିଳିଲା ଅନୁମୋଦନ
ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ବାଲେଶ୍ୱର : ବାଲେଶ୍ୱରରେ ଖୋଲିବ ଇଏସ୍ଆଇସି ଚିକିତ୍ସାଳୟ । ମିଳିଲା ଅନୁମୋଦନ । ଜିଲାରେ ଇଏସ୍ଆଇସି ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବହୁବାର ଲିଖିତ ଜଣାଇଥିଲେ । ଏମ୍ପି ଶ୍ରୀ ଷଡ଼ଙ୍ଗୀ ଦୀର୍ଘଦିନ ଧରି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ଲିଖିତ ଜଣାଇଥିଲେ । ଏହାକୁ ବିଚାର କରି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଜିଲାରେ ଇଏସ୍ଆଇସି ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଲେଶ୍ୱର ଓ ମୟୁରଭଞ୍ଜବାସୀଙ୍କ ତରଫରୁ ଏମ୍ପି ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି ।
ବାଲେଶ୍ୱର ଜିଲାରେ ହଜାର ହଜାର ଶ୍ରମିକ ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଛନ୍ତି । ପ୍ଲାଷ୍ଟିକ, ଷ୍ଟିଲ୍, ମତ୍ସ୍ୟ ସମ୍ପର୍କିତ କାରଖାନା ତଥା ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଦୀର୍ଘବର୍ଷ ଧରି ଶ୍ରମିକମାନେ କାର୍ଯ୍ୟ କରିଆସୁଛନ୍ତି । ଶ୍ରମିକମାନଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ଜିଲାରେ ଇଏସ୍ଆଇସି ଚିକିତ୍ସାଳୟ ନାହିଁ । ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଗତ ୨୦୧୯ ଠାରୁ ଜଣାଇ ଆସୁଥିଲେ । ସୋମବାର ଏହାକୁ ମଞ୍ଜୁରୀ ମିଳିଛି । ଖୁବ୍ଶୀଘ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଜିଲା ଗସ୍ତରେ ଆସି ଏହାର ଶିଳାନ୍ୟାସ କରିବେ ବୋଲି ଏମ୍ପି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।