୨୦୨୩ ଜାନୁଆରୀ ସୁଦ୍ଧା ବାଲେଶ୍ୱରରେ ଖୋଲିବ ଇଏସ୍ଆଇ ଡାକ୍ତରଖାନା
ବାଲେଶ୍ୱର : ବାଲେଶ୍ୱର ବାସୀଙ୍କ ପାଇଁ ଖୁସି ଖବର । ୨୦୨୩ ଜାନୁଆରୀ ସୁଦ୍ଧା ଜିଲାରେ ଖୋଲିବ ଇଏସ୍ଆଇ ଡାକ୍ତରଖାନା । ଫଳରେ ଉପକୃତ ହେବ ବହୁ ଶ୍ରମିକ ।
ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ର ଶ୍ରମ-ନିଯୁକ୍ତି ଏବଂ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ସାକ୍ଷାତ କରି ୩ଟି ପତ୍ର ମାଧ୍ୟମରେ ୩ଟି ସମସ୍ୟା ନେଇ ଦାବି ଉତ୍ଥାପନ କରିଛନ୍ତି । ପୁରାତନ ଦାବି ଅନୁସାରେ ବାଲେଶ୍ୱରରେ ଇଏସ୍ଆଇ ଡାକ୍ତରଖାନା ନିର୍ମାଣ କରି କଳ କାରଖାନାର ଶ୍ରମିକ ମାନଙ୍କ ସୁବିଧା ପାଇଁ ଅନୁରୋଧ କରିଥିଲେ । ଆସନ୍ତା ୨୦୨୩ ଜାନୁଆରୀ ସୁଦ୍ଧା ଏହାର ଶୁଭାରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବାଲେଶ୍ୱରର ବନ, ଅରଣ୍ୟ, ପାହାଡ଼, ପର୍ବତ, ନଦୀ ଓ ସମୁଦ୍ର ପରିବ୍ୟାପ୍ତ ବ୍ୟାପକ ଜୈବ ବିବଧତାର ସଂରକ୍ଷଣ ଓ ସମ୍ବର୍ଦ୍ଧନା ପାଇଁ ଏକ ଅନୁସନ୍ଧାନ କରି ସଂସ୍ଥା ଗଠନ କରି ଏଦିଗରେ ପଦେକ୍ଷପ ନେବା ପାଇଁ ଏମ୍ପିଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱରର ଗରିବ ଶ୍ରମିକ ଯେଉଁମାନେ କି ଅତି ଅସ୍ୱାସ୍ଥ୍ୟକର ଓ ଅମାନବୀୟ ପରିସ୍ଥିତିରେ ବାହାର ପ୍ରଦେଶରେ କାମ କରୁଛନ୍ତି, ସେମାନଙ୍କ ଏକ ପୂର୍ଣ୍ଣ ତଥ୍ୟ ସମ୍ବଳିତ ଡିଜିଟାଲ ସୂଚୀ ପ୍ରସ୍ତୁତ କରିବା ସହିତ ସେମାନଙ୍କ ପିଲାମାନଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କର ସକାରାତ୍ମକ ପ୍ରତିକିୟା ଏମ୍ପିଙ୍କୁ ଉତ୍ସାହିତ କରିଛି, ଏଥିପାଇଁ ଏମ୍ପି ଶ୍ରୀ ଷଡ଼ଙ୍ଗୀ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।