ଶିକ୍ଷାବିତ୍ ଇଂ. ସୁଶୀଲ ସିଂଙ୍କ ଅକାଳ ବିୟୋଗ
ନୀଳଗିର : ନୀଳଗିରିର ବିଶିଷ୍ଟ ଶିକ୍ଷାବିତ୍ ତଥା ଆର୍କେସିଏଟ କଲେଜର ପ୍ରତିଷ୍ଠାତା ଇଂ. ସୁଶୀଲ ସିଂଙ୍କ ଅକାଳ ବିୟୋଗ । ଏନେଇ ସମଗ୍ର ନୀଳଗିରି ଉପଖଣ୍ଡରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜଣେ ସାଧାରଣ ଆଦିବାସୀ ପରିବାରରୁ ଆସି ଏକ ବିରାଟ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ରାଜା କିଶୋର ଚନ୍ଦ୍ର ଏକାଡେମୀ ଅଫ୍ ଟେକ୍ନୋଲୋଜି (ଆର୍କେସିଏଟି) ନାମରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ି ତୋଳିବା ସହିତ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଗଢ଼ି ସମଗ୍ର ରାଜ୍ୟରେ କେନ୍ଦ୍ରବିନ୍ଦୁ ସାଜିଥିଲେ ଯୁବ ଇଂ. ସିଂ ।
ସୂଚନା ଯେ, ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଚେକାମରା ଗ୍ରାମର ଶିକ୍ଷାବିତ୍ ସୁଦର୍ଶନ ସିଂ ଓ ମା’ ଶକୁନ୍ତଳା ସିଂଙ୍କ କୋଳମଣ୍ଡନ କରି ୧୯୭୮ ଜୁନ୍ ୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ଏକ ଆଦିବାସୀ ପରିବାରରୁ ଆସି ଉଚ୍ଚଶିକ୍ଷା ସହ ଡିଗ୍ରୀ ହାଲସ କରି ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ି ତୋଳିଥିଲେ । ଗତ ଗୁରୁବାର ଇଂ. ସିଂ ଆର୍କେସିଏଟି ଅନୁଷ୍ଠାନରେ ରାତ୍ରିଯାପନ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ଗେଷ୍ଟହାଉସରେ ଯୋଗ କରୁଥିବାର କଲେଜ କର୍ମଚାରୀ ଦେଖିଥିବା ବେଳେ ପରମୁହୂର୍ତ୍ତରେ କବାଟ ନ ଖୋଲିବାରୁ ସହକର୍ମୀ ମାନେ ସଜ୍ଞାହୀନ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପ୍ରଥମେ ନୀଳଗିରି ହସ୍ପିଟାଲକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର କେୟାର ହସ୍ପିଟାଲକୁ ନେଉଥିବା ବେଳେ କଟକ ମହାନଦୀ ବ୍ରିଜ ନିକଟରେ ସଂକଟାପନ୍ନ ହେବାରୁ କଟକ ବଡ଼ମେଡିକାଲକୁ ନେଇଥିଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସମଗ୍ର ନୀଳଗିରି ଅଞ୍ଚଳ ସ୍ତବ୍ଧ ହୋଇଥିବା ବେଳେ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବିଜେଡି ନେତା ସନ୍ତୋଷ ଖଟୁଆ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ସମେତ ବହୁ ବିଜେଡି ଓ ଭାଜପା ନେତା, ବହୁ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ସମାଜସେବୀ ଓ ବୁଦ୍ଧିଜୀବୀ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।