ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହେଲେ ଏନରିକ୍, ଶକ୍ତିଶାଳୀ ହେଲା ଦଳ
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପୂର୍ବରୁ ଋଷଭ ପନ୍ତଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ଆଶ୍ୱସ୍ତିକର ଖବର ମିଳିଛି । ଦଳର ଦ୍ରୁତ ବୋଲର ଏନରିକ୍ ନୋର୍ଟଜେ ମୁମ୍ବାଇରେ ପହଁଚିଛନ୍ତି । ଫଳରେ ଦଳର ଶକ୍ତି ଏକପ୍ରକାର ଦ୍ୱିଗୁଣିତ ହୋଇଛି । ଗତ କିଛି ଦିନ ଧରି ନୋର୍ଟଜେ ଆଇପିଏଲ ଖେଳିବେ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ।
୨୦୨୧ ଟି-୨୦ ବିଶ୍ୱକପ ପରେ ଏନରିକ୍ କ୍ରିକେଟରୁ ଦୂରରେ ଥିଲେ । ଲଗାତର ଆହତ ସମସ୍ୟା ଦେଇ ସେ ଗତି କରୁଥିଲେ । ଏବେ ସେ ଦଳକୁ ଫେରିବା ପରେ ଦିଲ୍ଲୀକୁ ବଡ ଆଶ୍ୱସ୍ତି ମିଳିଛି । କାରଣ ଦଳ ମାର୍ଚ୍ଚ ୨୭ରେ ମୁମ୍ବାଇ ବିପକ୍ଷରେ ପ୍ରଥମ ଲିଗ୍ ମୁକାବିଲା ଖେଳିବ । ଏନରିକ୍ ଦଳରେ ସାମିଲ ହେଲା ପରେ ଦିଲ୍ଲୀ ଖୁସି ଥିଲେ ମଧ୍ୟ ଦଳ ଡେଭିଡ୍ ୱାର୍ଣ୍ଣର ଓ ମିସେଲ ମାର୍ସଙ୍କ ଉପରେ ନଜର ରଖିଛି । ଏହି ଦୁଇ ଖେଳାଳି ପାକିସ୍ତାନ ଗସ୍ତରେ ଅଛନ୍ତି । ସେଠାରେ ସିରିଜ୍ ଖେଳିବା ପରେ ହିଁ ଉଭୟ ଆଇପିଏଲରେ ସାମିଲ ହେବେ । ତେଣୁ ପ୍ରାରମ୍ଭିକ ମ୍ୟାଚରେ ଦିଲ୍ଲୀ ପୃଥ୍ୱୀ ଶଙ୍କ ସହ କାହାକୁ ଓପନିଂ ପାଇଁ ଓହ୍ଲାଇବ ସେନେଇ ଚିନ୍ତାରେ ରହିଛି ।