ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନୂତନ ଖେଳାଳିଙ୍କୁ ସୁଯୋଗ ଦେଲା ଇଂଲଣ୍ଡ
- ବାଦ ପଡିଲେ ଆଇପିଏଲ୍ ଖେଳିଥିବା ସମସ୍ତ ଖେଳାଳି
ଲଣ୍ଡନ : ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏ ନେଇ ଇଂଲଣ୍ଡ ଦଳ ମଙ୍ଗଳବାର ଦଳ ଘୋଷଣା କରିଛି। ଦଳରେ ଜୋସ୍ ବଟଲର ଓ ଜୋନି ବେୟାରଷ୍ଟୋ ସହିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଖେଳିଥିବା ସମସ୍ତ ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟପଟେ ଆହତ ସମସ୍ୟା ଦେଇ ଗତି କରୁଥିବା ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସଙ୍କ ନାମକୁ ବିଚାରକୁ ନିଆଯାଇ ନାହିଁ। ଇଂଲଣ୍ଡ ଜୁନ ୨ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଇଂଲଣ୍ଡ ଏବଂ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଭାରତରୁ ଫେରିବା ପରେ ୧୦ ଦିନିଆ ପୃଥକବାସରେ ଥିବା ଖେଳାଳିଙ୍କ ସଂଦର୍ଭରେ କହିଛି, ଇଣ୍ଡିଆନ ପ୍ରିମିୟର ଲିଗ୍ ସ୍ଥଗିତ ହେବା ପରେ ସ୍ଵଦେଶ ଫେରିଥିବା ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ଜୋସ୍ ବଟଲର, ସାମ କରନ ଓ କ୍ରିସ୍ ଓ୍ଵକ୍ସଙ୍କୁ ସିରିଜ୍ରୁ ବିଶ୍ରାମ ଦିଆଯାଇଛି। ଦଳରେ ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଗ୍ଲୋଷ୍ଟସାୟରର ଓ୍ଵିକେଟ୍ କିପର ଜେମ୍ସ ବ୍ରେସି ଓ ସସେକ୍ସର ଦ୍ରୁତ ବୋଲର ଓଲି ରବିନସନଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ସମରସେଟ୍ର ଅଲରାଉଣ୍ଡର କ୍ରେଗ୍ ଓଭରଟନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ୨୦୧୯ ସେପ୍ଟେମ୍ଵରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।
ଇଂଲଣ୍ଡ ଦଳ : ଜୋ ରୁଟ୍(ଅଧିନାୟକ), ବେନ ଫୋକ୍ସ, ଡେନ ଲରେନ୍ସ, ଅଲି ପୋପ୍, ଜେମ୍ସ ବ୍ରେସି, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍ସ, ଜ୍ୟାକ କ୍ରାଉଲି, ଜେମ୍ସ ଆଣ୍ଡରସନ, ଜ୍ୟାକ୍ ଲିଚ୍, କ୍ରେଗ୍ ଓଭରଟନ, ଓଲି ରବିନସନ, ଡମ ସିବଲେ, ଓଲି ଷ୍ଟୋନ ଓ ମାର୍କ ଉଡ।