ହକି ମହାସମର : ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କଲା ଇଂଲଣ୍ଡ
ରାଉରକେଲା : ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣ। ଆଜିର ତୃତୀୟ ମ୍ୟାଚ୍ରେ ଇତିହାସ ରଚିଲା ଇଂଲଣ୍ଡ । ଶୁକ୍ରବାର ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରିଛି ଇଂଲଣ୍ଡ।
ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍ ଦେଇଥିଲେ। ଅନସେଲ ଲିଆମ୍ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍ ଦେଇଥିଲେ।
ସୂଚନା ଯେ, ଆଜିର ଚତୁର୍ଥ ମ୍ୟାଚ୍ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିଛି। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।