ସମସ୍ତ କଳ୍ପନାଜଳ୍ପନାର ଅନ୍ତ! କୋଭିଡ୍ କଟକଣାରେ ଗଙ୍ଗାସାଗର ମେଳାକୁ ଅନୁମତି
- କୋଭିଡ୍ ନିୟମ ସଠିକ୍ ଭାବେ ପାଳନ ପାଇଁ ୩ଜଣିଆ କମିଟି ଗଠନ
- କୋଭିଡ୍ ଟେଷ୍ଟ କରାଯାଇ ମେଳାକୁ ପ୍ରବେଶ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି
କୋଲକାତା : ପଶ୍ଚିମବଙ୍ଗ ଦକ୍ଷିଣ୨୪ପରଗଣା ଜିଲା ସାଗରଦ୍ୱୀପ ଗଙ୍ଗାସାଗର ମେଳାକୁ କୋଲକାତା ଉଚ୍ଚ ନ୍ୟାୟାଳୟ ସର୍ତ୍ତାଧୀନ ଅନୁମତି ପ୍ରଦାନ କରିଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଚଳିତବର୍ଷ ଏହି ମେଳାକୁ ବନ୍ଦ କରିବାକୁ ଜଣେ ଡାକ୍ତର କଲକାତା ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିବା ପରେ ଉଚ୍ଚନ୍ୟାୟାଳୟ ଶୁଣାଣି କରି କୋଭିଡ୍ ନିର୍ଦ୍ଦେଶିକା ମାନି ମେଳା ହେବାକୁ ଅନୁମତି ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ ଶୁଣାଣି ପରେ ମେଳା ବନ୍ଦ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।
ମେଳାରେ କୋଭିଡ୍ ନିୟମ ସଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିରୋଧୀ ଦଳର ନେତା ଓ ମାନବ ଅଧିକାର କମିଶନ ଏହି ୩ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିର ମୁଖ୍ୟ କାର୍ଯ୍ୟ ହେବ ଗଙ୍ଗାସାଗର ମେଳା ନିମନ୍ତେ କୋଭିଡ୍ ସଂକ୍ରାନ୍ତ ସମସ୍ତ ବିଧି ନିଷେଧ ଓ ଗାଇଡ୍ଲାଇନ୍କୁ ସଠିକ୍ ଭାବେ ନଜର ରଖିବେ । କୋଭିଡ୍ ସଂକ୍ରମଣର ତ୍ରୁଟି ଘଟିଲେ ମେଳାକୁ ଯେକୌଣସି ସମୟରେ ବନ୍ଦ କରାଯିବ ବୋଲି ଉଚ୍ଚନ୍ୟାୟାଳୟ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ମେଳାରେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବା ଉପରେ ଉଚ୍ଚନ୍ୟାୟାଳୟ ଗୁରୁତ୍ୱ ଦେଇଛନ୍ତି । ଉଚ୍ଚନ୍ୟାୟାଳୟ ରାୟ ପରେ ରାଜ୍ୟସରକାରଙ୍କ ପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି । ପ୍ରସିଦ୍ଧ ମେଳା ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ସୂଚନା ମିଳିଛି । ଆସନ୍ତା ସୋମବାର ଠାରୁ ଗଙ୍ଗାସାଗର ମେଳା ଆରମ୍ଭ ହେଉଥିବା ବେଳେ ଏବେଠୁ କଲକାତା ବାବୁଘାଟ ସହ ବିଭିନ୍ନ ସ୍ଥାନରେ ଗଙ୍ଗାସାଗରକୁ ଆଗତ ବହୁ ପୁଣ୍ୟାର୍ଥୀଙ୍କୁ କୋଭିଡ୍ ଟେଷ୍ଟ କରାଯାଇ ମେଳାକୁ ପ୍ରବେଶ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଆସନ୍ତା ସୋମବାର ଠାରୁ ରସଲପୁର-ମୟାଗାଲିନୀ ଯାତ୍ରୀବାହୀ ଲଞ୍ଚ ଫେରିଘାଟ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।